ଚନ୍ଦ୍ରରେ ମିଳିଲା ମଣିଷ ବାସୋପଯୋଗୀ ସ୍ଥାନ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଚନ୍ଦ୍ର ପୃଷ୍ଠରେ ବାସ କରିବା ପାଇଁ ମଣିଷ ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଏବେ ସତ ହେବାକୁ ଯାଉଛି । ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଏପରି ଦୁଇଟି ସ୍ଥାନ ଠାବ କରିଛନ୍ତି, ଯେଉଁ ସ୍ଥାନ ମଣିଷ ବାସ କରିବା ପାଇଁ ଉପଯୋଗୀ । ମଣିଷର ଚନ୍ଦ୍ର ଅଭିଯାନ ବହୁକାଳୁ ଆରମ୍ଭ ହେଲାଣି । କିନ୍ତୁ ଚନ୍ଦ୍ରରେ କ’ଣ ମଣିଷ ବାସ କରିପାରିବ? ଆଶା ଛାଡ଼ିନାହାନ୍ତି ବୈଜ୍ଞାନିକମାନେ, ଗବେଷଣା ଜାରି ରଖିଛନ୍ତି ।

ଏବେ ବୈଜ୍ଞାନିକମାନେ ଆବିଷ୍କାର କରିଥିବା ଏକ ନୂତନ ତଥ୍ୟ ସେ ଆଶାକୁ ଉଜ୍ଜୀବିତ କରିଛି । ମଣିଷ ବାସ କରିବା ପାଇଁ ଜଳ ଓ ଅମ୍ଳଜାନଯୁକ୍ତ ବାୟୁର ଉପସ୍ଥିତି ସହ ଉପଯୁକ୍ତ ତାପମାତ୍ରା ଏକାନ୍ତ ଆବଶ୍ୟକ । କାହିଁକି ନା ଖାଦ୍ୟପେୟକୁ ଛାଡିଦେଲେ ଏହି ତିନୋଟି ଜିନିଷ ବିନା ମଣିଷ କୌଣସି ବି ସ୍ଥାନରେ ବଞ୍ଚି ପାରିବ ନାହିଁ । ଏବେ ବେଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ କେତେକ ଗୁମ୍ଫା ଠାବ କରିଛନ୍ତି, ଯାହା ଭିତରର ତାପମାତ୍ରା ମଣିଷର ବାସୋପଯୋଗୀ । ଏହି ଗୁମ୍ଫାଗୁଡ଼ିକର ଭିତରର ତାପମାତ୍ରା ୧୭ ଡିଗ୍ରି ସେଲସିୟସ ଆଖପାଖରେ ସର୍ବଦା ରହିଥାଏ । କିନ୍ତୁ ଦିନବେଳା ଖରା ପଡ଼ୁଥିବା ଚନ୍ଦ୍ରପୃଷ୍ଠର ତାପମାତ୍ରା ୧୨୭ ଡିଗ୍ରି ଯାଏ ବୃଦ୍ଧି ପାଉଥିବା ବେଳେ ରାତିରେ ଏହା ବିଯୁକ୍ତ ୧୭୩ ଡିଗ୍ରି ଯାଏ ଖସିଯାଏ ।

ଲୁନାର ରିକନେସାନ୍ସ ଅର୍ବିଟର (ଏଲ୍‌ଆର୍‌ଓ)ର ତଥ୍ୟକୁ ବ୍ୟବହାର କରି ବୈଜ୍ଞାନିକ ଏହି ଗୁମ୍ଫାଗୁଡ଼ିକ ଠାବ କରିଛନ୍ତି । ଭବିଷ୍ୟତରେ ଚନ୍ଦ୍ରପୃଷ୍ଠକୁ ଯେଉଁ ମହାକାଶଚାରୀମାନେ ଯିବେ ସେମାନେ ଏହିସବୁ ଗୁମ୍ଫାକୁ ନିଜର ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିପାରିବେ । ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ନାମକ ଜର୍ଣ୍ଣାଲର ଚଳିତ ସଂଖ୍ୟାରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ଏହି ରିପୋର୍ଟ ଆଧାରରେ, ବୈଜ୍ଞାନିକମାନେ ଠାବ କରିଥିବା ଗୁମ୍ଫାକୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ପାଇଛନ୍ତି । ଚନ୍ଦ୍ରରେ ଗୋଟିଏ ଦିନ ଦୁଇ ସପ୍ତାହ ଭଳି ଲମ୍ବା ହୋଇଥାଏ । ଆଉ ଏଠାରେ ସୂର୍ଯ୍ୟକିରଣ ପଡିବା ପରେ ତାପମାତ୍ର ୧୨୭ ଡିଗ୍ରୀ ସେଲସିୟସ୍‌ ଯାଏଁ ବଢିଯାଇଥାଏ । ଏତେ ତାପମାତ୍ରାରେ ପାଣି ଫୁଟିବାକୁ ଲାଗିଥାଏ । ଏଭଳି ସ୍ଥିତିରେ ଠାବ ହୋଇଥିବା ଗୁମ୍ଫା ଭିତରେ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ରହିଥାଏ । ଯାହା ମଣିଷ ବାସପଯୋଗୀ ବୋଲି ଜଣାପଡିଛି ।