ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ବର: (ସଂକେତ୍ ଟିଭି) ଓଡିଶା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ହେଲେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠିକରେ ଆଜି ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଚୟନ କରାଯାଇଛି।

ପ୍ରଦୀପ୍ତ ନାୟକଙ୍କ ଦୀର୍ଘକାଳୀନ ଅସୁସ୍ଥତା ହେତୁ ତାଙ୍କ ସ୍ଥାନରେ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଭାବେ ଦଳ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଏଇ ଘୋଷଣା କରିଛନ୍ତି।

ବିରୋଧୀ ଦଳ ନେତା ହେବା ପରେ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଦଳ ମୋ ଉପରେ ବିଶ୍ବାସ କରିଛି। ମୋ ଉପରେ ଦାୟିତ୍ବ ଦେଇଛି। ମୁଁ ମୋର ଦାୟିତ୍ବ ଠିକ୍‌ ଭାବେ ତୁଲାଇବି। ବିରୋଧୀ ଦଳ ନେତା ଭାବେ ଓଡ଼ିଶାର ସ୍ବରକୁ ବିଧାନସଭାରେ ପହଞ୍ଚାଇବି।

୨୦୧୯ ବିଧାନସଭା ନିର୍ବାଚନ ପରେ ଦଳ ପ୍ରଦୀପ୍ତ ନାଏକଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲା। ହେଲେ ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସାଧୀନ ଅଛନ୍ତି। ଏମିତିରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାନସଭାରେ ବିରୋଧୀ ଦଳ ନେତା ଅନୁପସ୍ଥିତି ବାରି ହୋଇ ପଡୁଥିଲା। ଏହି କ୍ରମରେ ଦଳ ସମ୍ବଲପୁରର ଚାରି ଥରର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି।

ଜୟ ନାରାୟଣ ମିଶ୍ର ୨୦୦୦ ମସିହା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୪ ଏବଂ ୨୦୦୯ରେ ସମ୍ବଲପୁରରୁ କ୍ରମାଗତ ଦ୍ଵିତୀୟ ଏବଂ ତୃତୀୟ ଥର ବିଧାୟକ ଭାବେ ବିଜୟ ହାସଲ କରିଥିଲେ। ୨୦୧୪ରେ ସେ ବିଜେଡି ପ୍ରାର୍ଥୀ ରାସେଶ୍ଵରୀ ପାଣିଗ୍ରାହୀଙ୍କଠୁ ପରାଜିତ ହୋଇଥିଲେ। ହେଲେ ୨୦୧୯ ନିର୍ବାଚନରେ ସେ ରାସେଶ୍ଵରୀଙ୍କୁ ହରାଇ ପୁଣି ଥରେ ସମ୍ଵଲପୁର ଗଡ ଦଖଲ କରିଥିଲେ।