ରାଜ୍ୟରେ ଏମଆରପି ଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି ମଦ

ଭୁବନେଶ୍ୱର: (ସଂକେତ୍ ଟିଭି) ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଅନେକ ସ୍ଥାନରେ ଏମଆରପିଠାରୁ ଅଧିକ ଦାମ୍ ରେ ବିକ୍ରି ହେଉଛି । ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଏହାକୁ ସ୍ବୀକାର କରିଛନ୍ତି । ସେ କହିଛନ୍ତି, ୨୦୨୧ -୨୨ ଆର୍ଥିକ ବର୍ଷରେ ୨୯ଟି ସେରିୟସ ଇ-ରେଗୁଲାରିଟି ରିପୋର୍ଟ ଦାୟର ହୋଇଛି । ଏ ବାବଦରେ ୨୯ଲକ୍ଷ ଟଙ୍କାର ଜରମାନା ଆଦାୟ କରାଯାଇଛି ।

ସେହିପରି ୨୦୨୨-୨୩ ଜୁନ୍ ସୁଦ୍ଧା MRP ଠାରୁ ଅଧିକ ଦାମ୍ ର ଦେଶୀ ବିଦେଶୀ ମଦ ବିକ୍ରି ଅଭିଯୋଗରେ ୩୧ଟି ଏସଆଇଆର କେସ୍ ଦାୟର ହୋଇଛି । ସେଥିମଧ୍ୟରୁ ୮ଟି ମାମଲାରେ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ବାକି ୨୩ଟି ମାମଲା ବିଚାରାଧୀନ ରହିଛି ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।

ଶନିବାର ପ୍ରଶ୍ନକାଳରେ ପ୍ରଶ୍ନକର୍ତ୍ତା ଅରବିନ୍ଦ ଢ଼ାଲିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଏହା କହିଥିଲେ । ସେହିଭଳି ମଦ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନକାଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ। ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଉତ୍ତରରେ କହିଥିଲେ ଯେ, କୌଣସି ଜିନିଷ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି । ସେହିପରି ମଦ କିଣିବାରେ ମଧ୍ୟ ରସିଦ ଦେବାର ବ୍ୟବସ୍ଥା ଅଛି । ଗ୍ରାହକଙ୍କ ଉପରେ ନିର୍ଭର କରେ ରସିଦ ନେବେ କି ନାହିଁ ।