ମିଡ଼ିଆକୁ ସୁପ୍ରିମକୋର୍ଟଙ୍କ ସତର୍କବାଣୀ, ସୀମା ସରହଦ ଭିତରେ ରୁହ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏକପାଖିଆ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଶେଷ କରି ଗୋଟିଏ ନ୍ୟୁଜ ରିପୋର୍ଟରେ ବିଚାରପତିଙ୍କୁ ଟାର୍ଗେଟ କରଯାଇ ଥିବାରୁ ସୁପ୍ରିମକୋର୍ଟ ମିଡିଆକୁ ସୀମା ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି । ବିଚାରପତିଙ୍କୁ ଟାର୍ଗେଟ କରିବାର ଗୋଟିଏ ସୀମା ରହିଛି । ତା’ ମଧ୍ୟରେ ରହି ଆପଣମାନେ ସବୁ କାମ କରନ୍ତୁ ବୋଲି କୋର୍ଟ କହିଛନ୍ତି ।

ବିଭିନ୍ନ ଖ୍ରୀଷ୍ଟିଆନ ସଂପ୍ରଦାୟର ଅନୁଷ୍ଠାନ ଉପରେ ଆକ୍ରମଣ ଘଟଣା ବୁଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । କିନ୍ତୁ କୋର୍ଟ ଏହାର ଶୁଣାଣିରେ ବିଳମ୍ବ କରିଥିବାରୁ ଗୋଟିଏ ମିଡିଆ ହାଉସ ବିଚାରପତିଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲା । ଆଜି ଉକ୍ତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ବଡ଼ କଥା କହିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ଗତଥର ଏହି ଆବେଦନର ଶୁଣାଣି ହୋଇ ପାରି ନଥିଲା । କାରଣ ମୁଁ କୋଭିଡରେ ଆକ୍ରାନ୍ତ ଥିଲି । ହେଲେ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲେ
ଯେ ସୁପ୍ରିମକୋର୍ଟ ଶୁଣାଣିରେ ବିଳମ୍ବ କରୁଛନ୍ତି । କିନ୍ତୁ ମନେ ରଖନ୍ତୁ, ବିଚାରପତିଙ୍କୁ ଟାର୍ଗେଟ କରିବା ପାଇଁ ଆପଣମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ସୀମା ରହିଛି । କିଏ ଏହି ନ୍ୟୁଜ ସବୁ ଏଠାରୁ ବାହାରକୁ ଦେଉଛି । ଅନଲାଇନରେ ମୁଁ ନ୍ୟୁଜ ଦେଖିଲା ବେଳକୁ ବିଚାରପତି ଶୁଣାଣିକୁ ବିଳମ୍ବିତ କରୁଥିବା ଲେଖାଯାଇଛି ।

ଗତଥର ଜଣେ ବିଚାରପତି କୋଭିଡରେ ଆକ୍ରାନ୍ତ ଥିବାରୁ ମାମଲାର ଶୁଣାଣି କରାଯାଇ ପାରି ନଥିଲା । ସେ ଯାହା ବି ହେଉ, ଆମେ ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରୁଛୁ । ନ ହେଲେ ପୁଣି ଗୋଟିଏ ନ୍ୟୁଜ ରିପୋର୍ଟ ପ୍ରକାଶ ପାଇବ । ବରିଷ୍ଠ ଆଇନଜୀବୀ କୋଲିନ ଗୋନସାଲଭେସ ଜୁନ୍‌ ମାସରେ ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚ ନିକଟରେ ଗୋଟିଏ ଆବେଦନ ଦାଖଲ କରିଥିଲେ । ଏଥିରେ ସେ କହିଥିଲେ ଯେ ଖ୍ରୀଷ୍ଟିଆନ ଅନୁଷ୍ଠାନଗୁଡ଼ିକ ଉପରେ ପ୍ରତି ମାସରେ ୪୫ରୁ ୫୦ ଥର ଆକ୍ରମଣ କରାଯାଉଛି । ଏବେ ଏହି ସଂଖ୍ୟା ବିଲାଣି । ତେଣୁ ଖ୍ରୀଷ୍ଟିଆନମାନଙ୍କୁ ସୁରକ୍ଷା ଯୋଗାଇ
ଦେବାକୁ ସେ ଦାବି କରଥିଲେ ।