ବିପୁଳ ଟଙ୍କା ସହ ଧରାପଡିଲେ ଝାଡଖଣ୍ଡର ୩ ବିଧାୟକ, ଦଳରୁ ସସପେଣ୍ଡ କଲା କଂଗ୍ରେସ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଝାଡଖଣ୍ଡର ୩ ବିଧାୟକଙ୍କୁ ଶନିବାର ଦିନ ବିପୁଳ ଟଙ୍କା ସହ ପଶ୍ଚିମବଙ୍ଗ ହାଓ୍ବଡାରେ ଗିରଫ କରାଯାଇଥିଲା । ଏହି ତିନି କଂଗ୍ରେସ ବିଧାୟକଙ୍କୁ ଦଳ ପକ୍ଷରୁ ସସପେଣ୍ଡ କରାଯାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ଝାଡଖଣ୍ଡର କଂଗ୍ରେସ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ ସୂଚନା ଦେଇଛନ୍ତି ।

ନିଲମ୍ବିତ ହୋଇଥିବା ତିନି କଂଗ୍ରେସ ବିଧାୟକ ହେଉଛନ୍ତି, ଜମତରା ବିଧାୟକ ଇରଫାନ୍ ଅନସାରୀ, ଖିଜିର ବିଧାୟକ ରାଜେଶ କଚ୍ଛପ ଏବଂ କୋଲେବିରାର ବିଧାୟକ ନମାନ ବିକ୍ସାଲ ।

ଅବିନାଶ ପାଣ୍ଡେ କହିଛନ୍ତି, “ଝାଡଖଣ୍ଡର କିଛି ବିଧାୟକଙ୍କୁ କୋଲକାତା ପୋଲିସ ବହୁ ନଗଦ ଟଙ୍କା ସହ ଧରିଛି । ସେଠାରେ ବିଧାୟକମାନଙ୍କୁ ଭୟଭୀତ କରି ସରକାରଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ ଚାଲିଛି । ବିଜେପିର ଏହି ଉଦ୍ୟମ ବିରୁଦ୍ଧରେ ନିକଟ ଅତୀତରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଥିଲା । ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଯୋଗାଯୋଗରେ ଅଛନ୍ତି, ଜଣେ କେନ୍ଦ୍ର ମନ୍ତ୍ରୀ ବିଧାୟକମାନଙ୍କୁ ଧମକ ଦେଉଛନ୍ତି ।”

ସୂଚନାଅନୁସାରେ, ଗତକାଲି(ଶନିବାର)ଏହି ତିନି ବିଧାୟକ ଝାଡଖଣ୍ଡର ଜମତରାରୁ ପଶ୍ଚିମବଙ୍ଗର ପୂର୍ବ-ମିଦିନାପୁର ଅଭିମୁଖେ ଯାଉଥିବା ବେଳେ କୌଣସି ସୁତ୍ରରୁ ସୂଚନା ପାଇ ରାସ୍ତାରେ କାରକୁ ରୋକିଥିଲା ହାଓ୍ବଡା ପୋଲିସ । କାରକୁ ଯାଞ୍ଚ କରିବା ପରେ ସେଥିରେ୪୮ ଲକ୍ଷରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଥିବା ଜଣାପଡିଥିଲା । ଟଙ୍କା ସମ୍ପର୍କରେ ବିଧାୟକମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ।

କଂଗ୍ରେସ ମିଡିଆ ମୁଖ୍ୟ ପୱନ ଖେରା ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ମିଳିତ ସରକାରକୁ ହଟାଇବା ପାଇଁ ଉଦ୍ଦିଷ୍ଟ ‘ଅପରେସନ୍ ଲୋଟସ୍’ କୁ ପର୍ଦ୍ଧାଫାଶ ହୋଇଛି । କଂଗ୍ରେସ ଏହାର ରାଜ୍ୟ ୟୁନିଟରୁ ରିପୋର୍ଟ ମାଗିଛି । ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀର ‘ହମ୍ ଦୋ’ର ଗେମ୍ ପ୍ଲାନ ହେଉଛି ଇଡି ଯୋଡ଼ି ଲଗାଇ ମହାରାଷ୍ଟ୍ରରେ ଯାହା କରିଥିଲେ ତାହା ଝାଡ଼ଖଣ୍ଡରେ କରିବା ।