ସାନିଟାଇଜର ଓ ମଶାମରା ଔଷଧ ବାଣ୍ଟିବାର ଦଣ୍ଡାଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଜଣେ ଅଭିଯୁକ୍ତଙ୍କୁ ୨୦୦ଟି ସାନିଟାଇଜର ଓ ମଶାମରା ଔଷଧ ବାଣ୍ଟିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ । ଏକ ମାମଲାର ଶୁଣାଣି ସମୟରେ ନିକଟରେ ଦିଲ୍ଲୀ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ଏକ ନିଆରା ଦଣ୍ଡବିଧାନ କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀରୁ ଶିକାଗୋ ଯାଉଥିବା ଜଣେ ଆମେରିକୀୟ ବ୍ୟକ୍ତିଙ୍କୁ ନିକଟରେ ପୁଲିସ ରୁଟିନ୍‌ ଚେକଅପ୍‌ ପରେ ବିମାନବନ୍ଦରରୁ ଗିରଫ କରିଥିଲା । ତାଙ୍କ ନିକଟରୁ କୌଣସି ବୈଧ ଦସ୍ତାବିଜ ବିନା କାର୍ତୁସ ମିଳିଥିଲା । ଏହାପରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା ।

ମାମଲାର ଶୁଣାଣି ସମୟରେ ଆମେରିକୀୟ ନାଗରିକ ଜଣକ ଦିଲ୍ଲୀ ହାଇକୋର୍ଟରେ ଦର୍ଶାଇଥିଲେ ଯେ, ଭୁଲବଶତଃ ଏକ କାର୍ତୁସ୍‌ ତାଙ୍କ ନିକଟରେ ରହିଯାଇଥିଲା । ଏହାପରେ ବିଚାରପତି ଜଷ୍ଟିସ୍‌ ଜସମିତ୍‌ ସିଂହ କହିଥିଲେ, ତାଙ୍କର ଏହି ଭୁଲ୍‌ ଯୋଗୁ ପୋଲିସର ଅନେକ ମୂଲ୍ୟବାନ ସମୟ ନଷ୍ଟ ହେଲା । ତେଣୁ ତାଙ୍କୁ ସମାଜ କଲ୍ୟାଣ ଲାଗି କିଛି ଭଲ କାମ କରିବା ଦରକାର ।

ଏଭଳିକ୍ଷେତ୍ରରେ ତାଙ୍କୁ ଅତି କମ୍‌ରେ ୨୦୦ ଜଣ ଛାତ୍ରଛାତ୍ରୀ ଥିବା ସରକାରୀ କିମ୍ବା ଘରୋଇ ସ୍କୁଲରେ ସାନିଟାଇଜର ଓ ମଶାମରା ଔଷଧ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଉଛି । ସରକାରୀ ଓକିଲଙ୍କ ଦ୍ୱାରା ଯାଞ୍ଚ ଅଧିକାରୀଙ୍କ ପରାମର୍ଶକ୍ରମେ ଏଥିଲାଗି ସ୍କୁଲ ଚିହ୍ନଟ କରାଯିବ । ସପ୍ତାହେ ମଧ୍ୟରେ ତାଙ୍କୁ ଏହି କିଟ୍‌ ବିତରଣ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍‌ ସିଂହ କହିଥିଲେ ।