ଶ୍ରୀଲଙ୍କା ଭଳି ଦିନେ ଭାରତର ପ୍ରଧାନମନ୍ତ୍ରୀ ବାସଭବନରେ ପଶିବେ ସାଧାରଣ ଲୋକ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଯେପରି ଶ୍ରୀଲଙ୍କାରେ ଲୋକମାନେ ରାଷ୍ଟ୍ରପତି ବାସଭବନରେ ପ୍ରବେଶ କରିଥିଲେ, ସେହିଭଳି ଭାରତରେ ମଧ୍ୟ ଦିନେ ଲୋକମାନେ ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରବେଶ କରିବେ ଓ ବସିବେ । ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଏହା କହିଛନ୍ତି ।

ଓୱେସି କହିଛନ୍ତି ଯେ, ଶ୍ରୀଲଙ୍କାରେ ଏହି ପରିସ୍ଥିତି ଏଥିପାଇଁ ଘଟିଛି କାରଣ ସେଠାରେ ସରକାର ବେକାରୀ, ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରିନାହାଁନ୍ତି । ଭାରତରେ ମଧ୍ୟ ଲୋକମାନେ ବର୍ତ୍ତମାନ ରାସ୍ତାରେ ଓହ୍ଲାଇବାକୁ ଆରମ୍ଭ କରିଛନ୍ତି । ଅଗ୍ନିପଥ ଯୋଜନା ବିରୁଦ୍ଧରେ ବିରୋଧ ଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ନେତାଙ୍କ ଉପରେ ଲୋକଙ୍କ ବିଶ୍ୱାସ କମିବାରେ ଲାଗିଛି ।

ରାଜସ୍ଥାନର ଜୟପୁରରେ ‘ଟକ୍ ଜର୍ଣ୍ଣାଲିଜିମ୍’ରେ ଯୋଗ ଦେଇ ଓୱେସି କହିଛନ୍ତି ଯେ, “ସିଏଏ, କୃଷି ବିଲ୍, ଅଗ୍ନିବୀର ଭଳି ପ୍ରସଙ୍ଗରେ ଲୋକମାନେ ରାସ୍ତାରେ ଓହ୍ଲାଇଛନ୍ତି । ଦେଖନ୍ତୁ ଦିନେ ଯେପରି ଶ୍ରୀଲଙ୍କାର ଲୋକମାନେ ରାଷ୍ଟ୍ରପତି ଭବନ ଭିତରେ ବସିଥିଲେ, ସେହିଭଳି ଏଠାରେ ପିଏମ ହାଉସରେ ପ୍ରବେଶ କରିବେ ଏବଂ କହିବେ ଯେ ଆମକୁ ଚାକିରି ଦେଇନାହାଁନ୍ତି । ମୁଁ ଏପରି ଚାହୁଁ ନାହିଁ, ନଚେତ୍ ଆଗାମୀ ସମୟରେ ମୋ ଉପରେ ୟୁଏପିଏ ଲାଗୁ ହେବ ।” ଏହି ସମୟରେ ଓୱେସି ଦେଶରେ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ କି ବୋଲି ପ୍ରଶ୍ନର ଉତ୍ତର ଦେଇନଥିଲେ ।

ଉଦୟପୁର ଘଟଣାର ପ୍ରଶ୍ନ ଉପରେ ଓୱେସି କହିଛନ୍ତି ଯେ, ଆମେ ଏହି ଘଟଣାକୁ ନିନ୍ଦା କରିଛୁ ଓ ଆମେ ବିଶ୍ୱାସ କରୁ ଯେ ଯେତେବେଳେ କହ୍ନେୟାଲାଲ ପୋଲିସକୁ ଅଭିଯୋଗ ଦେଇଥିଲେ ସେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଯଦି ସେହି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ତେବେ ଏହି ଘଟଣା ହୋଇନଥାନ୍ତା ।