ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି

ମୁମ୍ବାଇ : (ସଂକେତ୍ ଟିଭି) ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଛି । ଏକଥା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି।

ସୂଚନ‌ାଯୋଗ୍ୟ, ମୁମ୍ବାଇର ଏକ ‘ଚଲ୍‌’ (ମୁଖ୍ୟତଃ ଶ୍ରମିକମାନେ ରହିବା ନିମନ୍ତେ ସର୍ବନିମ୍ନ ମୌଳିକ ସୁବିଧା ଥିବା ବହୁ ସଂଖ୍ୟକ ପକ୍କାଘର) ପୁନଃବିକାଶରେ ହୋଇଥିବା ଅନିୟମିତତା ସହିତ ସଂଶ୍ଳିଷ୍ଟ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ରାଉତଙ୍କୁ ତଦନ୍ତ କରୁଛି। ରବିବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ‘ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌, ୨୦୦୨’ ଅନୁଯାୟୀ ଗିରଫ ହୋଇଥିବା ରାଉତଙ୍କୁ ଆଜି ଅପରାହ୍ଣରେ ‘ପିଏମ୍‌ଏଲ୍‌ଏ’ ଅଦାଲତରେ ହାଜର କରାଯିବ।

ସଞ୍ଜୟଙ୍କୁ ଗିରଫ କରାଯିବା ପରେ ତାଙ୍କ ଭାଇ ସୁନୀଲ କହିଛନ୍ତି, ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କୁ ଭୟ କରୁଛି। ସେଥିପାଇଁ ହିଁ ତାଙ୍କୁ ଗିରଫ କରିଛି। ସେମାନେ ପାଇଥିବା ଦଲିଲ ସବୁ ଜାଲ୍‌। ପତ୍ରା ‘ଚଲ୍‌’ ମାମଲାରେ ସଞ୍ଜୟ ରାଉତଙ୍କୁ ସଂଶ୍ଳିଷ୍ଟ କରାଯିବାର କୌଣସି କାରଣ ନାହିଁ।

ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଯଦିଓ ଶିବସେନାର ପ୍ରଧାନ ମୁଖପାତ୍ର ତଥା ସାମନାର ସମ୍ପାଦକ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିଛି, କିନ୍ତୁ ତଦନ୍ତ ପରେ ସତ୍ୟ ପଦାକୁ ଆସିବ । ସେ ଆହୁରି କହିଛନ୍ତି ଯେ ଯଦିଓ ସଞ୍ଜୟ ରାଉତ ଆମକୁ ଓ ଆମ ସହିତ ଥିବା ୫୦ ଜଣ ବିଧାୟକଙ୍କୁ ବାରମ୍ବାର ସମାଲୋଚନା କରିଛନ୍ତି, କିନ୍ତୁ ଆମେ ତାହା କରିବୁ ନାହିଁ । ଏହି ଅବସରରେ ସିନ୍ଦେ ସ୍ପଷ୍ଟ କରିଛନ୍ତି ଯେ ସେ କାର୍ଯ୍ୟ ମାଧ୍ୟମରେ ତାଙ୍କ ସମାଲୋଚନାର ଉତ୍ତର ଦେବେ ।