ମୋବାଇଲ ବ୍ୟବହାର କରିବାକୁ ବାରଣ କରିବାରୁ ଆତ୍ମହତ୍ୟା କଲେ ନାବାଳିକା

ବାଲିଆପାଳ : ( ଉମାକାନ୍ତ ନାୟକ) ମୋବାଇଲ ବ୍ୟବହାର କରିବାକୁ ବାରଣ କରିବାରୁ ଜଣେ ଦଶମ ଶ୍ରେଣୀର ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ଗ୍ରାମରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ବାଲିକୁଟି ଗାଁର ଅଶ୍ବିନୀ କୁମାର ଦଳାଇଙ୍କର ୧୬ ବର୍ଷର ନାବାଳିକା ଝିଅ ଗୀତାଞ୍ଜଳି ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ପରିବାର ଲୋକ ତାଙ୍କୁ ମୋବାଇଲ ବ୍ୟବହାର କରିବାକୁ ବାରମ୍ବାର ବାରଣ କରି ଆସୁଥିଲେ । ଗୀତାଞ୍ଜଳି ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ପରିବାର ଲୋକଙ୍କୁ ଧମକ ଦେଇ ଆସୁଥିଲେ ।

ତେବେ ମଙ୍ଗଳବାର ଗୀତାଞ୍ଜଳି ମୋବାଇଲ ବ୍ୟବହାର କରିଥିବା ବେଳେ ପରିବାର ଲୋକ ଜାଣିପାରି ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନାବାଳିକା ଜଣଙ୍କ ଘରେ କେହି ନଥିଲା ବେଳେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଜାଣି ପାରି ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଆପାଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।