୫ରୁ ଘୂର୍ଣ୍ଣିବଳୟର ପ୍ରଭାବରେ ପ୍ରବଳ ବର୍ଷିବ

ଭୁବନେଶ୍ବର: (ସଂକେତ୍ ଟିଭି) ଧାରା ଶ୍ରାବଣରେ ଅସହ୍ୟ ତାତି । ଲଗାଣ ବର୍ଷା ବଦଳରେ ଧୁ ଧୁ ଖରା । ସାରା ରାଜ୍ୟରେ ଖରାଦିନିଆ ଗରମ । ଓଡ଼ିଶାରେ ଅଧା ମୌସୁମୀ ସରିଲାଣି ହେଲେ ଏଯାଏଁ ୮ ପ୍ରତିଶତ କମ୍‌ ବର୍ଷା ହୋଇଛି । ଚାଷୀର ଚିନ୍ତା ବଢାଇଲାଣି ନିଅଣ୍ଟିଆ ବର୍ଷା । ଏଭଳି ସ୍ଥିତିରେ ପାଣିପାଗ ବିଭାଗ କହିଛି, ଆହୁରି ତିନି ଚାରି ଦିନ ଏଭଳି ପାଗ ଲାଗି ରହିବ । ଆସନ୍ତା ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ବିଭାଗର କହିବାନୁସାରେ, ରାଜ୍ୟରେ ଆସନ୍ତା ୪ ତାରିଖ ଯାଏଁ ବର୍ଷା ସମ୍ଭାବନା ନାହିଁ । ତେବେ ଅଗଷ୍ଟ ୬ କିମ୍ବା ୭ ତାରିଖ ବେଳକୁ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ମୌସୁମୀ ଦୁର୍ବଳ, ଲୁଚକାଳି ଖେଳୁଛି ଲଘୁଚାପ ବର୍ଷା । ଏମିତିରେ ଚଳିତ ବର୍ଷର ଚାଷବାସ କେମିତି ହେବ, ସେନେଇ ଚାଷୀର ଚିନ୍ତା ବଢିଯାଇଛି । ଆସନ୍ତା ୫ ତାରିଖରେ ମାଲାକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ପୁରୀ, ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ସେହିପରି ୬ ତାରିଖରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହାସହ ମାଲକାନାଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।