୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ ଧରାପଡିଲେ ଏଏସଆଇ

ଭୁବନେଶ୍ବର: (ସଂକେତ୍ ଟିଭି) ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନାର ଏଏସଆଇ ପୁଷ୍ପଲତା ପାଇକରାୟ । ୨୦୨୦ ମସିହାର ଏକ ମାରପିଟ୍ କେସ୍ ପାଇଁ ସେ ନିଜର ସରକାରୀ କ୍ବାର୍ଟରରେ ଏହି ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ, ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲେ ।

ସୂଚନା ଯୋଗ୍ୟ ଯେ, କଣ୍ଟାପଡା ଗ୍ରାମର ନୃସିଂହ ସେନାପତିଙ୍କର ୨୦୨୦ରେ ଏକ ମାରପିଟ୍ ମାମଲା ବାଲିପାଟଣା ଥାନାରେ ହୋଇଥିଲା । ଆକ୍ରମଣକାରୀଙ୍କୁ ଗିରଫ କରିବା ଏବଂ କେସ୍‌ର ଉପଯୁକ୍ତ ତଦନ୍ତ କରିବା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ । ଏ ନେଇ ନୃସିଂହ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ବୁଧବାର ୮ ଜଣିଆ ଭିଜିଲାନ୍ସ ଟିମ୍ ଥାନା ନିକଟରେ ରହିଥିଲେ । ନୃସିଂହଙ୍କ ଠାରୁ ଏଏସଆଇ ପୁଷ୍ପଲତା ପାଇକରାୟ ୫ ହଜାର ଟଙ୍କା ତାଙ୍କ ସରକାରୀ କ୍ବାର୍ଟରରେ ନେଇଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ । ତାଙ୍କ ନିକଟରୁ ୫ ହଜାର ଟଙ୍କା ଜବତ ହୋଇଛି ।