ବାସିଖାଦ୍ୟ ଖାଇ ଜଣେ ମୃତ, ୫ ଜଣ ଗୁରୁତର

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଦଧିବାମନପୁର ଗ୍ରାମରେ ବାସିଖାଦ୍ୟ ଖାଇ ଜଣକର ମୃତ୍ୟୁ ଘଟିଥିବାବେଳେ ୫ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ କଟକର ଏକ ଘରୋଇ ମେଡ଼ିକାଲରେ ବୁଧବାର ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗ୍ରାମର ଯୁଧିଷ୍ଠିର ଦାସଙ୍କ ପକ୍କାଘର ବୋରିଂ କାମ ଚାଲିଥିଲା ବେଳେ ଘରୋଇ ଖାଇବା ବ୍ୟବସ୍ଥା କରାଯାଇଥିଲା। ସେହି ଖାଦ୍ୟକୁ ପରିବାର ଲୋକ ରାତିରେ ଖାଇ ଶୋଇଥିଲେ। ପରେ ସକାଳୁ ପରିବାର ଲୋକଙ୍କୁ ଜଣ ଜଣ କରି ଝାଡ଼ା ଓ ବାନ୍ତି ହେବାକୁ ଲାଗିଲା। ୬ ଜଣଙ୍କୁ ଅଧିକ ଝାଡ଼ା ଓ ବାନ୍ତି ହେବାରୁ ତାଙ୍କୁ ସିମୁଳିଆ ମେଡ଼ିକାଲକୁ ଆଣିଥିଲେ। ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।

ବୁଧବାର ସକାଳେ ଅବଶିଷ୍ଟ ୫ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସମସ୍ତ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଖବର ପ୍ରସାରିତରେ ସିମୁଳିଆ ମେଡିକାଲ ଟିମ୍‌ ଯୁଧିଷ୍ଠିରଙ୍କ ଘରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।