ପଶ୍ଚିମବଙ୍ଗରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ, ବାବୁଲ ସୁପ୍ରିୟୋଙ୍କ ସମେତ ୯ ଜଣଙ୍କୁ ମିଳିଲା ମନ୍ତ୍ରୀପଦ

କୋଲକାତା: (ସଂକେତ୍ ଟିଭି): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କ୍ୟାବିନେଟରେ ଅଦଳ ବଦଳ କରିଛନ୍ତି। ମୋଟ୍ ନଅ ଜଣ ନୂତନ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି। ଏଥିରେ ବାବୁଲ ସୁପ୍ରିୟୋ ମଧ୍ୟ ସାମିଲ୍ ହୋଇଛନ୍ତି। ନୂତନ ମନ୍ତ୍ରୀମାନେ ବୁଧବାର ଶପଥ ଗ୍ରହଣ କରିଛନ୍ତି।

ଇଡିର କାର୍ଯ୍ୟାନୁଷ୍ଠାନ ପରେ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଯିବା ସହ ଟିଏମସରି ସବୁ ପଦରୁ ବରଖାସ୍ତ କରାଯାଇଛି। ସେହି ସମୟରେ ମମତା ଇସାରା ଦେଇଥିଲେ ଯେ, ମନ୍ତ୍ରିମଣ୍ଡଳରେ କିଛି ନୂତନ ଚେହେରାଙ୍କୁ ସ୍ଥାନ ମିଳିପାରେ। ୨୦୨୧ରେ ସରକାର ଗଠନ ପରେ ମମତାଙ୍କ ଏହା ପ୍ରଥମ କ୍ୟାବିନେଟ୍ ଅଦଳବଦଳ।

ତେବେ ବାବୁଲ ସୁପ୍ରିୟୋଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ବାବୁଲ ସୁପ୍ରିୟୋ ୨୦୨୧ ସେପ୍ଟେମ୍ବରରେ ଭାରତୀୟ ଜନତା ପାର୍ଟି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୨୨ ଏପ୍ରିଲରେ ପଶ୍ଚିମବଙ୍ଗର ବାଲିଗଞ୍ଜ ଆସନରୁ ବିଧାନସଭା ଉପ ନିର୍ବାଚନ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ବାବୁଲ ନିଜର ଲୋକସଭା ଆସନ ଆସନସୋଲରୁ ଇସ୍ତଫା ଦେଇଥିଲେ।

କାହାକୁ ମିଳିଲା ମନ୍ତ୍ରୀ ପଦ
୧ – ବାବୁଲ ସୁପ୍ରିୟୋ
୨ – ସ୍ନେହାଶିଷ ଚକ୍ରବର୍ତ୍ତୀ
୩ – ପାର୍ଥ ଭୌମିକ
୪ – ଉଦୟନ ଗୁହା
୫ – ପ୍ରଦୀପ ମଜୁମଦାର

ସ୍ଵତନ୍ତ୍ର ପ୍ରଭାର
୧ – ବିପ୍ଳବ ରାୟ ଚୌଧୁରୀ
୨ – ବୀରବାହା ହସଦା

ରାଜ୍ୟ ମନ୍ତ୍ରୀ
୧ – ତାଜମୁଲ ହୁସେନ
୨ – ସତ୍ୟଜିତ ବର୍ମନ