ରୋହିତ ଓ ରାହୁଲ ଖେଳାଳିଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଓ ସୁରକ୍ଷା ଦେଉଛନ୍ତି: ପାଣ୍ଡ୍ୟା

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ଗତ ପାଞ୍ଚ ଛଅ ବର୍ଷ ଧରି ଦଳରେ ଯେଉଁ ବ୍ୟବସ୍ଥା ଚାଲିଥିଲା ,ତାହା ଦୂର କରି ଭିନ୍ନ ଏକ ପରିବେଶ ସୃଷ୍ଟି କରିବା ପାଇଁ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ପ୍ରୟାସ ଜାରି ରଖିଛନ୍ତି । ତେଣୁ ବର୍ତ୍ତମାନ ଖେଳାଳି ମାନେ ଯେ କୌଣସି ଚିନ୍ତା କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଓ ସୁରକ୍ଷା ପାଉଛନ୍ତି । ବାସ୍ତବିକ ଏହା ହେଉଛି ରୋହିତ ଶର୍ମାଙ୍କର ବଡ ଶକ୍ତି । କାରଣ ରୋହିତ ଅଧିନାୟକ ଭାବେ ଖେଳାଳିଙ୍କ ଉପରେ କୌଣସି ଚାପ ପ୍ରୟୋଗ କରିବାକୁ ଚାହାନ୍ତି ନାହିଁ । ପ୍ରତ୍ୟେକ କଥା ହାଲକା ମନରେ ଚିନ୍ତା କରିବା ପାଇଁ ଖେଳାଳିଙ୍କୁ ସେ ପୂର୍ଣ୍ଣ ଅଧିକାର ଦେଇଥାନ୍ତି । କାରଣ ଆଇପିଏଲରେ ଗତ ପାଞ୍ଚ/ଛଅ ବର୍ଷ ଧରି ତାଙ୍କ ସହିତ ଖେଳି ଆସିବା ମଧ୍ୟରେ ତାହା ଅନୁଭବ କରିଛି ।

ଅନ୍ୟ ପକ୍ଷରେ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ଖେଳାଳିଙ୍କୁ ଅନୁରୂପ ସୁଯୋଗ ଦେଉ ଥିବାରୁ ସମସ୍ତେ ଖୋଲା ମନରେ ଖେଳିବା ମଉକା ପାଉଛନ୍ତି । ମ୍ୟାଚ ସମ୍ପର୍କରେ ଖେଳାଳି ମାନେ ନିଜ ସ୍ୱାଧୀନତା ମଧ୍ୟରେ ବିଚାର କରିବା ସୁଯୋଗ ପାଉଛନ୍ତି । କୌଣସି ମ୍ୟାଚରେ ଖେଳାଳି ମାନେ କରୁ ଥିବା ତ୍ରୁଟିରେ ସୁଧାର ଆଣିବା ପାଇଁ ନିଜେ ଚେଷ୍ଟା କରିବା ସକାଶେ କୋଚ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଖେଳାଳିଙ୍କୁ ପରାମର୍ଶ ଦେବା ସବୁଠାରୁ ବଡ କଥା । ଏହା ଆଗାମୀ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ପାଇଁ ବିଶେଷ ଉପଯୋଗୀ ହୋଇ ପାରିବ ବୋଲି ପାଣ୍ଡ୍ୟା କହିଛନ୍ତି ।