ଦରଦାମ୍ ବୃଦ୍ଧି ବିରୋଧରେ କଂଗ୍ରେସର ଜେଲ୍‌ ଭରୋ ଆନ୍ଦୋଳନ

ନୂଆଦିଲ୍ଲୀ: (ସଂକେତ୍ ଟିଭି) କଂଗ୍ରେସ ଦରଦାମ୍ ଓ ବେରୋଜଗାର ବିରୋଧରେ ଆଜି ଦେଶବ୍ୟାପୀ ଏକ ବିଶାଳ ବିରୋଧ ପ୍ରଦର୍ଶନ କରିଛି । ଏଥିନେଇ କଂଗ୍ରେସ ସାଂସଦ କଳା ପୋଷାକ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ସେମାନେ ସଂସଦ ଭବନରେ ମଧ୍ୟ କଂଗ୍ରେସ ନେତା କଳା ପୋଷାକ ପିନ୍ଧି ହାତରେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ ।

ସଂସଦରୁ ରାଷ୍ଟ୍ରପତି ଭବନ ଯାଏ ମାର୍ଚ୍ଚ ସମୟରେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛି । ରାହୁଲ ଦଳର ସମସ୍ତ କଂଗ୍ରେସ ନେତାଙ୍କ ସହ ଦରଦାମ୍ ବିରୋଧରେ ରାଷ୍ଟ୍ରପତି ଭବନ ଆଡକୁ ଯାଉଥିଲେ । ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦଳର ମୁଖ୍ୟକାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ କରିବାକୁ ଯାଉଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସ ପ୍ରିୟଙ୍କାଙ୍କ ସମେତ ଦଳର ଅନେକ ବରିଷ୍ଠ ନେତାଙ୍କୁ ହେପାଜତକୁ ନେଇଛି । ପ୍ରିୟଙ୍କା ଗାନ୍ଧୀ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ପିଏମ ହାଉସ ଆଡକୁ ଅଗ୍ରସର ହେଉଥିଲେ, ସେହି ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ରୋକି ଥିଲା । ଏହା ପରେ ପ୍ରିୟଙ୍କା ରାସ୍ତାରେ ଧାରଣାରେ ବସିଥିଲେ । କିନ୍ତୁ ପୋଲିସ ତାଙ୍କୁ ଜରଜବରଦସ୍ତି ହେପାଜତକୁ ନେଇଛି ।

କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଟ୍ବିଟ୍‌ କରି କହିଛନ୍ତି ଯେ, “ପୁନର୍ବାର କଂଗ୍ରେସକୁ ଦରବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଅନୁମତି ମିଳିନାହିଁ । ବେକାରୀ ଓ ଜିଏସଟି ବିରୋଧରେ ମୁହଁ ଖୋଲିବାରୁ ବିଜୟ ଚୌକ୍‌ରେ ପୋଲିସ ଭ୍ୟାନ୍‌ରେ ଭର୍ତ୍ତି ହେବାକୁ ପଡ଼ିଛି ।”

କଂଗ୍ରେସ ପକ୍ଷରୁ ଜେଲ୍‌ ଭରୋ ଆନ୍ଦୋଳନ ଡାକରା ଦିଆଯାଇଛି । ଏହାର ପ୍ରଭାବ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ନୀତିକୁ କଂଗ୍ରେସ ନେତା ଓ କର୍ମୀ ବିରୋଧ କରିଛନ୍ତି। ଏହି କ୍ରମରେ ଆଜି ଅନେକ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖିଛି ।