ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସ୍ବାଗତ କଲେନି ରାଜ୍ୟ ସରକାର : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର : (ସଂକେତ୍ ଟିଭି) ପ୍ରୋଟୋକଲ ଅନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୋଲିସ ଡିଜି ସ୍ୱାଗତ କରିନାହାଁନ୍ତି । ରାଜ୍ୟ ସରକାର ସାଧାରଣ ଶିଷ୍ଟାଚାର ବି କିଭଳି ଭୁଲିଗଲେ ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯେତେବେଳେ ଭୁବନେଶ୍ୱର ଆସିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରିବା ପାଇଁ କେହି ଆସିଲେନି। ମୁଖ୍ୟମନ୍ତ୍ରୀ ନଆସିଲେ ନାହିଁ, ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆସିବା କଥା, ସେ ଆସିଲେନି, ପୋଲିସ ଡିଜି ଆସିଲେନି, ସଚିବ ବି ଆସିଲେନି।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ଓଡ଼ିଶାକୁ ଅଣ ଏନଡିଏ ରାଜ୍ୟ ହିସାବରେ କେବେ ପାତର ଅନ୍ତର କରିନାହାନ୍ତି। ସବୁବେଳେ କେନ୍ଦ୍ର ସରକାର ଓଡ଼ିଶା ସହ ଠିଆ ହୋଇଛନ୍ତି । ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଆସିବା ସମୟରେ ତାଙ୍କ ସ୍ବାଗତ ପାଇଁ କେହି ଆସିଲେନି । କେବଳ ସ୍ପେସାଲ ସେକ୍ରେଟାରି ହୋମଙ୍କୁ ପଠାଯାଇଥିଲା ବୋଲି ଅପରାଜିତା ଅଭିଯୋଗ କରିଛନ୍ତି ।