ବିଜେପି ଠାରୁ ଅଲଗା ହୋଇ ଆରଜେଡି ଓ କଂଗ୍ରେସ ସହ ସରକାର ଗଢ଼ିବେ ନୀତିଶ କୁମାର

ପାଟନା: (ସଂକେତ୍ ଟିଭି) ବିହାରରେ ନୀତିଶ ଓ ବିଜେପି ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବାକୁ ଯାଉଛି । ଦିନେ କିମ୍ବା ଦୁଇ ଦିନ ଭିତରେ ଜେଡିୟୁ ବିଜେପିରୁ ଅଲଗା ହେବା ନେଇ ଘୋଷଣା କରିବାର ସମ୍ଭାବନା ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି, ବାମଦଳ ଓ କଂଗ୍ରେସ ସହ ମିଶି ସରକାର ଗଠନ କରିପାରନ୍ତି ।

ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଙ୍କ ସହ କଥା ହୋଇଛନ୍ତି । ସେ ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇ ବିହାରର ରାଜନୈତିକ ଦୃଶ୍ୟ ଉପରେ ଆଲୋଚନା କରିଛନ୍ତି ।

ଜେଡିୟୁର ଅଭିଯୋଗ ହେଉଛି ଯେ, ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛି । ଦଳ ଛାଡିଥିବା ଆରସିପି ସିଂଙ୍କ ଜରିଆରେ ବିଜେପି ଏପରି କରୁଥିବା ନୀତିଶଙ୍କ ଦଳ କହିଛି । କେବଳ ଏତିକି ନୁହେଁ, ନୀତିଶଙ୍କ ଅନେକ ବିଧାୟକ ଅନ୍ତରୀଣ ନିର୍ବାଚନ ଚାହୁଁନାହାଁନ୍ତି । ତେଣୁ ନୀତିଶ ଆରଜେଡି, କଂଗ୍ରେସ ସାହାଯ୍ୟରେ ସରକାର ଚଳାଇବା ବିକଳ୍ପରେ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ନୀତିଶ ଓ ବିଜେପିର ସମ୍ପର୍କ ଗତ କିଛି ଦିନ ହେବ ଶୀତଳ ପଡିଛି । ଉଭୟ ଟକ୍କରାଟକ୍କରି ସ୍ଥିତିରେ ରହୁଛନ୍ତି । ଫଳରେ ସରକାର ରହିବ ନା ଭାଙ୍ଗିବ ତାକୁ ନେଇ ନାନା ଆଲୋଚନା ପ୍ରକାଶ ପାଉଛି ।

ତେବେ ଗତ ଏକ ମାସର ଘଟଣାକ୍ରମ ଉପରେ ନଜର ପକାଇଲେ ଉଭୟ ଦଳ ମଧ୍ୟରେ କିଛି ଠିକ୍ ନଥିଲା ସ୍ପଷ୍ଟ ଜଣାପଡୁଛି । ଗତ ମାସରେ ଏପରି ଚାରି ଥର ଘଟିଥିଲା । ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୭ରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଯାଇଥିଲା, କିନ୍ତୁ ନୀତିଶ କୁମାର ଏହି ବୈଠକରେ ଯୋଗ ଦେଇନଥିଲେ । ଏହା ପରେ ଜୁଲାଇ ୨୨ରେ ତତ୍କାଳୀନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବିଦାୟକାଳୀନ ଭୋଜିରେ ନୀତିଶ କୁମାରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଜୁଲାଇ ୨୫ରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ନୀତିଶ କୁମାରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ ଯାଇ ନଥିଲେ । ଅଗଷ୍ଟ ୭ ମଧ୍ୟ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକରେ ଯୋଗଦେବାକୁ ଡକାଯାଇଥିଲା କିନ୍ତୁ ସେ ଏହି ବୈଠକରେ ଯୋଗ ଦେଇନଥିଲେ ।