‘ମୋ ଖତ’ ଯୋଗାଣ ନିମନ୍ତେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବରାଦ ଦେଲା କୃଷି ବିଭାଗ

ଭୁବନେଶ୍ବର : (ସଂକେତ୍ ଟିଭି) ଉଦ୍ୟାନ କୃଷି ଏବଂ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ନିମନ୍ତେ ମହାନଗର ନିଗମ, ମ୍ୟୁନିସିପାଲିଟି ଏବଂ ଏନ୍‌ଏସି ଦ୍ୱାରା ପ୍ରସ୍ତୁତ କରାଯାଉଥିବା କମ୍ପୋଷ୍ଟ ‘ମୋ ଖତ’ର ବ୍ୟାପକ ବ୍ୟବହାର ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ନିମନ୍ତେ ୨୦୧୮.୪୭ ମେଟ୍ରିକ ଟନ ‘ମୋ ଖତ’ ଯୋଗାଣ ନିମନ୍ତେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବରାଦ କରାଯାଇଛି ।

ସେହିପରି ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବାବଦକୁ ଆବଶ୍ୟକ ହେଉଥିବା ୨୬୧୬.୨୦ ମେଟ୍ରିକ ଟନ ‘ମୋ ଖତ’ ଯୋଗାଇଦେବା ପାଇଁ ବରାଦ କରାଯାଇଛି । ରାଜ୍ୟର ବିଭିନ୍ନ ମହାନଗର ନିଗମ, ମ୍ୟୁନିସିାଲିଟି ଏବଂ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁକୁ ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଂଟରରେ ପ୍ରକ୍ରିୟାକରଣ କରାଯାଇ ‘ମୋ ଖତ’ ପ୍ରସ୍ତୁତ ଓ ବିକ୍ରୟ କରାଯାଉଛି ।

ଉଦ୍ୟାନ କୃଷି ଓ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ କରାଯାଉଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ମୁତାବକ ‘ମୋ ଖତ’କୁ ସଂପୃକ୍ତ ଜିଲ୍ଲାର ମହାନଗର ନିଗମ, ମୁନିସିପାଲିଟି ଓ ଏନ୍‌ଏସି ପକ୍ଷରୁ ଯୋଗାଇଦେବା ନିମନ୍ତେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି ।