ଅଧିନାୟକ ହେବାପାଇଁ ଦ୍ୱିଧା ନାହିଁ : ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : (ସଂକେତ୍ ଟିଭି) ଭାରତୀୟ କ୍ରିକେଟ୍ ଦଳର ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ସୀମିତ ଓଭର ଫର୍ମାଟ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବାପାଇଁ ପ୍ରବଳ ଆଗ୍ରହ ରହିଛି । ଆଗାମୀ ଦିନରେ ଏହି ସୁଯୋଗ ମିଳିଲେ ନିଶ୍ଚିତ ଖୁସି ହେବି । ଅବଶ୍ୟ ଅଧିନାୟକ ଦାୟିତ୍ୱ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ, ଏଥିରେ ନିଆରା ଆନନ୍ଦ ମିଳିଥାଏ । ଚଳିତବର୍ଷର ଆଇପିଏଲ୍‌ରେ ଗୁଜୁରାଟ ଟାଇଟନ୍ସକୁ ଟାଇଟଲ ବିଜୟୀ କରାଇବା ଅଧିନାୟକ ଜୀବନର ସବୁଠାରୁ ବଡ଼ ସଫଳତା ଥିଲା ।

ସେହିପରି ଚଳିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜର ୫ମ ମ୍ୟାଚରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ନେତୃତ୍ୱ ନେଇ ବିଜୟୀ ହେବା ଫଳରେ ଆନନ୍ଦ ଅନୁଭବ କରୁଛି । ମ୍ୟାଚ୍‌ ଶେଷରେ ଗଣମାଧ୍ୟମ ପ୍ରତିନିଧି ଏହି ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ କରିବାରୁ ପାଣ୍ଡ୍ୟା କହିଛନ୍ତି ଯେ, ଭବିଷ୍ୟତରେ ଯଦି ଅଧିନାୟକ ଦାୟିତ୍ୱ ତୁଲାଇବାକୁ ପଡ଼ିବ ସେଥିପାଇଁ କୌଣସି ଦ୍ୱିଧା ନାହିଁ । ମାତ୍ର ବର୍ତ୍ତମାନ ସେ ସମୟ ଆସିନାହିଁ । କାରଣ ଆଉ ଅଳ୍ପଦିନ ପରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ଉପରେ ଭାରତୀୟ ଦଳ ଅଧିକ ଦୃଷ୍ଟି ଦେବାକୁ ପଡ଼ିବ ।

ଅନ୍ୟପକ୍ଷରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଏକାଧିକ ଅଧିନାୟକ ନିଯୁକ୍ତି ହେବା ଭଲ ସୂଚନା । କାରଣ ଦଳର ଅନ୍ୟ ଖେଳାଳିମାନେ ଅଧିନାୟକ ଦାୟିତ୍ୱ ତୁଲାଇ କିରି ଚାପ ମଧ୍ୟରେ ମ୍ୟାଚ ଜିତିବାକୁ ପଡ଼ିବ ସେ ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରିପାରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ପାଣ୍ଡ୍ୟା ଭାରତୀୟ ଦଳର ନେତୃତ୍ୱ ନେଇ ବିଜୟୀ କରାଇଥିଲେ ।