ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ

ପାଟନା : (ସଂକେତ୍ ଟିଭି) ବିହାରରେ ବିଜେପି- ଜେଡିୟୁ ମେଣ୍ଟ ଭାଙ୍ଗି ଯାଇଛି । ଏନେଇ ମୁଖ୍ଯମନ୍ତ୍ରୀ ନୀତିଶ କୁମାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ସେ କଂଗ୍ରେସ-ଆରଜେଡି ଓ ବାମଦଳ ସହ ମିଶି ସରକାର ଗଠନ କରିବେ ବୋଲି ସୂଚନା ମିଳିଛି । ସେପଟେ ଆଜି ନିତିଶ କୁମାର ଏବଂ ତେଜସ୍ବୀ ଯାଦବ ରାଜ୍ୟପାଳଙ୍କ ପାଖକୁ ଯାଇ ମେଣ୍ଟ ସରକାର ଗଠନ କରିବା ପାଇଁ ମହାଗଠବନ୍ଧନ ନେତାମାନଙ୍କର ସମର୍ଥନ ପତ୍ର ପ୍ରଦାନ କରିଛନ୍ତି।

ବିଧାୟକ ଦଳର ବୈଠକରେ ଜେଡିୟୁ ବିଜେପି ସହିତ ମେଣ୍ଟକୁ ଭାଙ୍ଗିଛି । ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ ରାଜ୍ୟପାଳଙ୍କୁ ଭେଟିବାକୁ ଥିବା ବେଳେ ରାଜଭବନ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେ ରାଜ୍ୟପାଳଙ୍କୁ ବିଧାୟକଙ୍କ ସମର୍ଥନ ନେଇ ଚିଠି ପ୍ରଦାନ କରିବ । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ସହିତ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ।

ଜେଡିୟୁ ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି, ” ବିଜେପି ସବୁବେଳେ ଆମକୁ ଅପମାନ କରିଛି । ବିଜେପି ପକ୍ଷରୁ ଆମ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଛି । ବିଜେପି ଏନେଇ ଷଡ଼ଯନ୍ତ୍ର କରିଥିଲା ।” ସେପଟେ ଉପମୁଖ୍ୟମନ୍ତ୍ରୀ ପଦ ସହିତ ଗୃହ ବିଭାଗ ମଧ୍ୟ ତେଜସ୍ବୀଙ୍କ ନିକଟରେ ରହିବାକୁ ଆରଜେଡ଼ି ବିଧାୟକ ଦଳର ବୈଠକରେ ଦାବି ଉଠିଛି ।

ଏହାମଧ୍ୟରେ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନୀତିଶ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ବିଧାୟକମାନେ ମଧ୍ୟ ନୀତିଶଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସମର୍ଥନ କରିଛନ୍ତି ।

ସୂଚନାଯୋଗ୍ୟ, ବିଜେପି ଓଜେଡିୟୁ ୨୦୨୦ରେ ମିଳିବ ଭାବେ ବିଧାନସଭା ନିର୍ବାଚନ ଲଢିଥିଲେ । କିନ୍ତୁ ଆରଜେଡି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ବିଜେପି-ଜେଡିୟୁ ସରକାର ଗଠନ କରିଥିଲେ । ସେବେଠୁ ଉଭୟ ଦଳ ମଧ୍ୟରେ ମନାନ୍ତର ଓ ମତାନ୍ତର ବଢିଥିଲା । ଅନେକ ପ୍ରସଙ୍ଗରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ।