ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର କ୍ୟାବିନେଟ ସମ୍ପ୍ରସାରଣ : ଶପଥ ନେଲେ ୧୮ ମନ୍ତ୍ରୀ

ମୁମ୍ବାଇ : (ସଂକେତ୍ ଟିଭି): ମହାରାଷ୍ଟ୍ରରେ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ମନ୍ତ୍ରୀ ପଦର ଶପଥ ନେଇଛନ୍ତି ୧୮ ବିଧାୟକ । ବିଜେପିର ୯ ବିଧାୟକ ଓ ସିନ୍ଦେଙ୍କ ଗୋଷ୍ଠୀର ୯ ବିଧାୟକ ଶପଥ ନେଇଛନ୍ତି ।

ମୁମ୍ବାଇର ରାଜ ଭବନରେ ଦିନ ୧୧ଟା ସମୟରେ ଆରମ୍ଭ ହୋଇଥିଲା ଏହି ଶପଥ ଗ୍ରହଣ ଉତ୍ସବ । ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବସୀ ଓ ଏନସିପି ନେତା ଅଜିତ ପାଓ୍ୱାର ଉପସ୍ଥିତ ଥିଲେ ।

ଶପଥ ନେଇଥିବା ୧୮ ନୂଆ ମନ୍ତ୍ରୀମାନେ ହେଲେ ରାଧାକୃଷ୍ଣ ବିଧେ ପାଟିଲ, ସୁଧୀର ମୁନଗଣ୍ତିବାର, ଚନ୍ଦ୍ରକାନ୍ତ ପାଟିଲ, ବିଜୟ କୁମାର ଗାବିତ, ଗିରୀଶ ମହାଜନ, ଗୁଲାବରାଓ ପାଟିଲ, ଦାଦା ଭୁସେ, ସଞ୍ଜୟ ରାଠୋର, ସୁରେଶ ଖାଡେ, ସନ୍ଦୀପନ ଭୁମରେ, ଉଦୟ ସାଓ୍ୱନ୍ତ, ତାନାଜୀ ସାଓ୍ୱନ୍ତ, ରବୀନ୍ଦ୍ର ଚୌହାନ, ଅବ୍ଦୁଲ ସତ୍ତାର, ଦୀପକ କାସରକର, ଅତୁଲ ସାବେ, ସମ୍ଭୁରାଜ ଦେଶାଇ ଓ ମଙ୍ଗଲ ପ୍ରଭାତ ଲୋଢା

ଏନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ”ଆଜି ଆମ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହୋଇଛି । ଆଜିଠାରୁ ଆମେ କାମ ଆରମ୍ଭ କରିବୁ, ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗରେ କାମ ଆରମ୍ଭ କରିବେ। ଏହା ହେଉଛି ଏକ ଛୋଟ ମନ୍ତ୍ରୀମଣ୍ଡଳ । ଏହା ପରେ ବାକି ମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଗଠନ କରାଯିବ” ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜନୀତିର କ୍ଷମତା ପରିବର୍ତ୍ତନ ପରେ ଶିବସେନା ବିଧାୟକ ଶିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ଜୁନ୍‌ ୩୦ ତାରିଖରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବା ପରେ ଫଡ଼ନାଭିସ ଅସନ୍ତୋଷ ଥିବା କୁହାଯାଉଥିଲା। ଏଥିପାଇଁ ମନ୍ତ୍ରୀମଣ୍ଡଳ ଗଠନ ନେଇ ସହମତି ହୋଇପାରୁ ନଥିଲା। ସେବେଠାରୁ ଦୁଇ ନେତା ମାତ୍ର ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନେଇ ସରକାର ଗଠନ କରିଥିଲେ। ଯାହାକୁ ନେଇ ଉଭୟ ନେତାଙ୍କୁ ବିରୋଧୀଙ୍କ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।