ଆପ୍ ଡାଉନଲୋଡ କରି ୮୦ ହଜାର ଟଙ୍କା ହରାଇଲେ ଛାତ୍ରୀ

କଟକ : (ସଂକେତ୍ ଟିଭି) ଫେସ୍‌ବୁକ୍‌ରେ ଦେଖାଉଥିବା ଏକ ଡିଜିଟାଲ୍ ଲୋନ ଆପ୍ ଡାଉନ୍ଲୋଡ୍‌ କରିଥିଲେ । ପରେ ଆପ୍‌ରେ ଦେଖାଉଥିବା ଫର୍ମ ଫିଲପ କଲେ । ବାସ୍‌ ତାହା ପରେ ଆରମ୍ଭ ହୋଇଗଲା ବ୍ଲାକମେଲିଂ ଓ ନିର୍ଯାତନା । ଲୋନ ନେଇଛ, ତୁରନ୍ତ ଦିଅ ବୋଲି ଏସ୍‌ଏମ୍‌ଏସ୍ ବି ଆସିଲା । ନହେଲେ ତୁମର ନ୍ୟୁଡ୍ ଫଟୋ ଭାଇରାଲ କରିଦିଆଯିବ ବୋଲି ଫୋନ୍ ବି ଆସିଲା । ସତକୁ ସତ ତାହାହିଁ ହେଲା । ଫୋନକୁ ହ୍ୟାକ୍ କରି ୱାଟସ୍ ଆପ୍‌ କଣ୍ଟାକ୍ଟରେ ଥିବା ସମସ୍ତ ଲୋକଙ୍କ ପଠାଇ ଦେଲେ ନଗ୍ନ ଫଟୋ । କଟକର ଜଣେ ଆଇନ ଛାତ୍ରୀ ଏଭଳି ଘଟଣାର ଶିକାର ହୋଇଛନ୍ତି । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏହାର ତଦନ୍ତ ଚଳାଇଛନ୍ତି ।

ପୋଲିସରେ ଅଭିଯୋଗ ଦେଇଥିବା ଆଇନ ଛାତ୍ରୀଙ୍କ କହିବା ମୁତାବକ, ଫେସବୁକ୍‌ ଦେଖୁ ଦେଖୁ ଆଖିରେ ପଡ଼ିଥିଲା ଏକ ଲୋନ ଆପ୍ଲିକେସନ୍‌ ଆଡ୍ । ଲୋଭରେ ପଡ଼ି ଏହାକୁ କ୍ଲିକ୍‌ କରିଦେଲେ ସେ । ଏପରିକି ଅନ୍ଲାଇନ୍‌ ଫର୍ମରେ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ ଥିବା ଫୋନ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍‌ସ, ଆଧାର ନମ୍ବର, ପାନ୍‌ ନମ୍ବର ଆଦି ମଧ୍ୟ ଦେଇଥିଲେ । କିଛି ସମୟ ପରେ ତାଙ୍କ ହ୍ୱାଟସ୍‌ଆପକୁ ଆସିଲା ଏକ ମେସେଜ୍ । ଯେଉଁଥିରେ ଲେଖାଥିଲା, ତମେ ଲୋନ୍ ନେଇଛ । ୨ ହଜାର ଟଙ୍କା ପଠାଅ । ଯୁବତୀ ଜଣକ କୌଣସି ଲୋନ୍ ନେଇନଥିବା କହିବା ପରେ ବି ହ୍ୱାଟ୍ସଆପକୁ ଆସିଲା ଏକ ଫୋନ୍ କଲ । ଜଣେ ବ୍ୟକ୍ତି ହିନ୍ଦୀରେ ଅଶାଳୀନ ଭାଷାରେ କଥାବାର୍ତ୍ତା କରିଥିଲେ । ସଂପୃକ୍ତ ଯୁବତୀଙ୍କ ଉଲଗ୍ନ ଫଟୋକୁ ଭାଇରାଲ୍‌ କରିଦେବାକୁ ଧମକ ଦେଇଥିଲେ । ଖାଲି ଧମକ ନୁହଁ, ଏହି ଛାତ୍ରୀଙ୍କ ଫଟୋ ଓ ତାଙ୍କ ମୋବାଇଲରେ ଥିବା ସମସ୍ତଙ୍କ ହାଟ୍ସଆପ୍ ନମ୍ବରକୁ ଏକ ଫେକ୍ ନ୍ୟୁଡ୍‌ ଫଟୋ ପଠାଇଦେଇଥିଲେ ।

ସାଇବର ଠକଙ୍କ ଏଭଳି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ଯୁବତୀ ଏବେ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି । ଏନେଇ କଟକ ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି, କେବଳ ଏହି ଜଣେ ଯୁବତୀ ନୁହଁନ୍ତି, କଟକରେ ଆଉ ଜଣେ ଯୁବତୀଙ୍କୁ ଚାଇନିଜ୍ ଆପ୍ ଜରିଆରେ ହଜାରେ ଟଙ୍କାର ଲୋନ୍ ଦେଇ ୮୦ ହଜାର ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ଏଭଳି ସର୍ବସ୍ୱାନ୍ତ କରିବା ପାଇଁ ପ୍ଲେ ଷ୍ଟୋରରେ ଭର୍ତ୍ତି ହୋଇରହିଛି ବହୁ ଚାଇନିଜ ଆପ୍ । ଯାହାକୁ ମୋବାଇଲରେ ଡାଉନ ଲୋଡ କରିବା କ୍ଷଣି କିଛି ଲୋକେ ଠକେଇ ଓ ବ୍ଲାକମେଲିଂର ଶିକାର ହେଉଛନ୍ତି ।