ଖୋଜୁଥିଲେ ଗଞ୍ଜେଇ, କାର୍ ଭିତରୁ ମିଳିଲା ସୁନା ବିସ୍କୁଟ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା

ବ୍ରହ୍ମପୁର : (ସଂକେତ୍ ଟିଭି) ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସୁନା ଚାଲାଣ ରାକେଟ ଧରା ପଡିଛି । କାର୍ ଯାଞ୍ଚ କରିବା ସମୟରେ ଗୁଇନ୍ଦା ଅଧିକାରୀଙ୍କୁ ୨୩ଟି ସୁନା ବିସ୍କୁଟ ଓ ଏକ କୋଟି ୨୨ ଲକ୍ଷ ଟଙ୍କା ମିଳିଛି ।

ସୂଚନା ଅନୁସାରେ, ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ଯାଞ୍ଚ କରୁଥିଲେ । ଏଭଳି ସମୟରେ ମହାରାଷ୍ଟ୍ରର ନମ୍ବର ରହିଥିବା ଏକ ଗାଡି ସେହି ରାସ୍ତା ଦେଇ ଯାଇଥିଲା । ଅଧିକାରୀମାନେ ସନ୍ଦେହରେ କାରକୁ ଅଟକାଇବା ପରେ ଯାଞ୍ଚ କରାଯିବା ପରେ କାର୍ ଭିତରୁ କିଛି ପରିବା ବ୍ୟାଗ୍ ମିଳିଥିଲା । ପରିବା ବ୍ୟାଗରେ ୨୩ଟି ସୁନା ବିସ୍କୁଟ ଓ ଏକ କୋଟି ୨୨ ଲକ୍ଷ ଟଙ୍କା ମିଳିଥିଲା । ଏତେ ଟଙ୍କା ଦେଖି ଅବକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କାର ମଧ୍ୟରେ ବସିଥିବା ବ୍ୟକ୍ତି ଜଣକ ନିଜକୁ ଭରତ ଗୋଖେ ନାୟକ ଏବଂ ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ପରିଚୟ ଦେଇଥିଲେ । ଏନେଇ ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନାକୁ ସୂଚନା ଦେବା ପରେ ପୋଲିସ ଉକ୍ତ ଟଙ୍କା ଜବତ କରିବା ସହ ଭରତଙ୍କୁ ଥାନାକୁ ଆଣିଥିଲେ ।ବ୍ୟାଗ ଭିତରୁ ୧ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ଜହତ ହୋଇଥିଲା । ତାଙ୍କୁ ପଚରାଉଚରା ବେଳେ ସେ ମହାରାଷ୍ଟ୍ରରୁ ସୁନା ଆଣି ବ୍ରହ୍ମପୁରରେ ବିକ୍ରି କରୁଥିବା ପୋଲିସକୁ କହିଥିଲେ।

ମହାରାଷ୍ଟ୍ରର ଭରତଙ୍କ ସମେତ ବ୍ରହ୍ମପୁରର କେତେକ ସୁନା ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଟିକସ ଫାଙ୍କି ଚୋରାରେ ସୁନା କାରବାର ଚାଲିଥିବା ଯୋଗୁଁ ତଦନ୍ତରେ ପୋଲିସ ଜିଏସଟି ଏବଂ ଅନ୍ୟ ବିଭାଗର ସାହାଯ୍ୟ ନେଇଛି ।