ବଦଳିବ ଅଗ୍ନିଶମ ବାହିନୀ ନାଁ, ହେବ ଅଗ୍ନିଶମ ଏମର୍ଜେନ୍ସି ବିଭାଗ

ଭୁବନେଶ୍ବର : (ସଂକେତ୍ ଟିଭି) ଏଣିକି ଅଗ୍ନିଶମ ବାହିନୀ ନାଁ ବଦଳିଯିବ । ନୂତନ ନାମ ରଖାଯିବ ଅଗ୍ନିଶମ ଏମର୍ଜେନ୍ସି ବିଭାଗ ରଖାଯିବ। ଏହାସହ ଏନଡିଆରଏଫ୍‌ ଭଳି ଅଗ୍ନିଶମ ବାହିନୀ ମଧ୍ୟ ତ୍ୱରିତ ସେବା ପ୍ରଦାନ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ ଦିଆଯିବ ବୋଲି ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ୱାରା ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ନିସ୍ତାର ପ୍ରତିଷ୍ଠାନ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଭିଭାଷଣରେ କହିଛନ୍ତି।

ରାଜ୍ୟ ସରକାର ଅଗ୍ନିଶମ ବିଭାଗ ପାଇଁ ୪୦୦ କୋଟିର ଖର୍ଚ୍ଚ ପାଇଁ ଆକଳନ କରିଛନ୍ତି। ତେବେ କେନ୍ଦ୍ର ଅଗ୍ନିଶମ ବିଭାଗକୁ ରାଜ୍ୟ ଅଗ୍ନିଶମ ବିଭାଗର ଉନ୍ନତିକରଣ ପାଇଁ ୨୪୬ କୋଟି ପ୍ରଦାନ ପାଇଁ ଏକ୍‌ ଚିଠା ପ୍ରସ୍ତୁତ କରାଯାଇଛି। ଆଗକୁ ଅଗ୍ନିଶମ ବିଭାଗ କେବଳ ନିଆଁ ଲିଭା ନୁହେଁ ଏନଡିଆରଏଫ କରୁଥିବା କାର୍ଯ୍ୟ ଠାରୁ ଅଧିକ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। କଟକ ଭୁବନେଶ୍ୱରରେ ଲୋକଙ୍କୁ ଆପାତଃକାଳୀନ ସେବା ଯୋଗାଇଦେବାକୁ ୨୦୦ ସ୍ୱତନ୍ତ୍ର ଅଗ୍ନିଶମ ବାହିନୀ ପ୍ରସ୍ତୁତ କରିବାକୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନ ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି।

ସମ୍ମାନୀୟ ଅତିଥି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ବିଗତ ବର୍ଷ ମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ଅଗ୍ନିଶମ ଅଧିକାରୀ ମାନଙ୍କର ଅତୁଳନୀୟ ଯୋଗଦାନ ଦ୍ୱାରା କିପରି ଅମୂଲ୍ୟ ଜନଜୀବନ ଓ ସମ୍ପଦର ରକ୍ଷା ହେଇପାରିଛି ତାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ଅନ୍ୟ ଶିଳ୍ପାଞ୍ଚଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପନ୍ନ ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ। ଏହା ବ୍ୟତୀତ ଭବିଷ୍ୟତରେ ଅତି ଉଚ୍ଚ ନିର୍ମାଣର ସୁରକ୍ଷା, ରେଳ ଓ ମେଟ୍ରୋ ଅଘଟଣରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧୀକାରୀଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଫାୟାର ସର୍ଭିସ ନିଉଜ ବୁଲିଟିନ୍‌ ଓ ଟେଲିଫୋନ ଡିରେକେଫାରୀ ଉନ୍ମୋଚନ କରିଥିଲେ।