ବଦଳିଲା ନିଷ୍ପତ୍ତି ସ୍ୱାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ବର : (ସଂକେତ୍ ଟିଭି) ଶେଷରେ ନିଷ୍ପତ୍ତି ବଦଳାଇଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ମଙ୍ଗଳବାର କୋଭିଡ୍ କଟକଣାରେ ବିନା ଛାତ୍ରଛାତ୍ରୀରେ ସ୍କୁଲ୍‌ରେ ସ୍ୱାଧୀନତା ଦିବସ ପାଳନ ନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିବାବେଳେ ବୁଧବାର ସକାଳୁ କିନ୍ତୁ ଏହାକୁ ପରିବର୍ତ୍ତନ କରି ସ୍ୱାଧୀନତା ଦିବସରେ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ବୋଲି କହିଛନ୍ତି । ଗତ ୨ ବର୍ଷ ହେବ କରୋନା ମହାମାରୀ ଯୋଗୁଁ ସ୍ୱାଧୀନତା ଦିବସ ପାଳନ ଉତ୍ସବରୁ ଦୂରେଇ ରହିଥିବା ଛାତ୍ରଛାତ୍ରୀମାନେ ଏଥର ଉତ୍ସବରେ ସାମିଲ ହୋଇପାରିବେ ।

ତେବେ ସ୍ୱାଧୀନତା ଦିବସ ପାଳନ ସମୟରେ ଗାଇଡ୍ ଲାଇନ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ହେଉଛି କି ନାହିଁ ତାହା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଦାରଖ କରିବେ । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଛାତ୍ରଛାତ୍ରୀମଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ପୂର୍ବରୁ କେବଳ ଶିକ୍ଷକମାନେ ସ୍କୁଲ୍ ଯାଇ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ।

ତେବେ ମଙ୍ଗଳବାର ମନ୍ତ୍ରୀ ଶ୍ରୀ ଦାଶ ବିନା ଛାତ୍ରଛାତ୍ରୀରେ ସ୍ୱାଧୀନତା ଦିବସ ପାଳନ ପାଇଁ ଯେଉଁ ଘୋଷଣା କରିଥିଲେ ତାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା । ଏପରିକି ଅଭିଭାବକମାନେ ପ୍ରଶ୍ନ କରିଥିଲେ ଯେ, ଯଦି ପିଲାମାନେ ସ୍କୁଲ୍ ଯାଇ ପାଠ ପଢ଼ି ।ରୁଛନ୍ତି ତେବେ ସ୍ୱାଧୀନତା ଦିବସ ପାଳନରେ ଅସୁବିଧା କେଉଁଠି ? ସମ୍ଭବତଃ ଅଭିଭାବକଙ୍କ ଅସନ୍ତୋଷ ପରେ ଗଣଶିକ୍ଷା ବିଭାଗ ତା’ର ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି ।