ପ୍ରଧାନମନ୍ତ୍ରୀ ହେବା ପାଇଁ ଦାଉଦଙ୍କ ସହ ହାତ ମିଳାଇ ପାରିବେ ନୀତିଶ କୁମାର

ପାଟନା : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ୟୁନାଇଟେଡ୍) ନେତା ନୀତିଶ କୁମାର ମଧ୍ୟ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ସହ ହାତ ମିଳାଇବାକୁ ପଛେଇବେ ନାହିଁ । ଏହି ଦାବି କରିଛନ୍ତି ବିହାରର ସାସାରାମରୁ ବିଜେପି ସାଂସଦ ଛେଦି ପାସୱାନ୍ । ନୀତିଶ କୁମାର ବିଜେପିସହ ମେଣ୍ଟ ଭାଙ୍ଗି ମହାମେଣ୍ଟରେ ଯୋଗ ଦେଇ ବିହାରରେ ସରକାର ଗଠନ କରିବା ପରେ ପାସୱାନଙ୍କ ଏହି ବୟାନ ଆସିଛି ।

ସେ କହିଛନ୍ତି ଯେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ ଦାଉଦ ଇବ୍ରାହିମଙ୍କ ସହ ହାତ ମିଶାଇ ପାରିବେ, କିନ୍ତୁ ନୀତିଶଙ୍କ ବିଡମ୍ବନାର ବିଷୟ ଏହା ଯେ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ।”

କହିରଖୁଛୁ ଯେ ଜନତା ଦଳ (ୟୁନାଇଟେଡ୍) ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି, କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସହ ମିଶି ବିହାରରେ ସରକାର ଗଠନ କରିଛି । ବୁଧବାର ଦିନ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଓ ଆରଜେଡିର ତେଜସ୍ୱୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ସେପଟେ ନୀତିଶ କୁମାର ନିଜର ଘନିଷ୍ଠ ଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂଙ୍କୁ ଟାର୍ଗେଟ୍ କରିଛନ୍ତି । ଆରସିପିଙ୍କୁ ଦଳ ବହୁତ ଅଧିକ ଦେଇଥିଲା । କିନ୍ତୁ ସେ ଭୁଲ କଲେ ବୋଲି ନୀତିଶ କହିଛନ୍ତି । ପାଟନାରେ ଆୟୋଜିତ ବିହାର ବୃଜ୍ଞ ସୁରକ୍ଷା ଦିବସ କାର୍ଯ୍ୟକ୍ରମରେ ସେ ଆରସିପିଙ୍କ ଉପରେ ବର୍ଷିଥିଲେ ।

ନୀତିଶ କହିଛନ୍ତି ଯେ, ସେ ଠିକ୍ କରିନାହାଁନ୍ତି । ଦଳ ଆରସିପିଙ୍କୁ ବହୁତ ସମ୍ମାନ ଦେଇଛି । ଦଳର ଅଧ୍ୟକ୍ଷ କରିଛି । ପରେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଫଳରେ ତାଙ୍କୁ ପଦ ଛାଡିବାକୁ କୁହାଗଲା । ତେବେ ଜେଡିୟୁ ବିଜେପିକୁ ଧୋକା ଦେଇନି । ଦଳର ନେତା ଏନଡିଏଠୁ ଅଲଗା ହେବାକୁ ଚାହୁଁଥିଲେ ବୋଲି ନୀତିଶ କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଆରସିପି ସିଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କୁ ତୃତୀୟ ଥର ରାଜ୍ୟସଭା ପଠାଇବାକୁ ମନା କରିଦେଇଥିଲା । ତେଣୁ ତାଙ୍କୁ ମୋଦୀ ସରକାରର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡିଥିଲା ।

ଦଳ ମଧ୍ୟରେ ଅଧିକ ଦିନ ଧରି ଉପେକ୍ଷିତ ଥିବା ଆରସିପିଙ୍କ ଭବିଷ୍ୟତକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ସେ କଣ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନେବେ ତାହା କହିନାହାଁନ୍ତି । ସେପଟେ ବିହାରରେ ଜେଡିୟୁର ଅବସ୍ଥା ଶିବସେନା ଭଳି ଯେପରି ନହୁଏ ସେଦିଗରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆରସିପିଙ୍କ ନିକଟସ୍ଥ ନେତାଙ୍କଠୁ ପଦ ଛଡାଇ ନେଇଛନ୍ତି ନୀତିଶ । ଦଳରୁ ସେମାନଙ୍କୁ ବାହାର କରିବା ପାଇଁ ନକୁହାଯାଇଥିଲେ ମଧ୍ୟ ଦୁର୍ନୀତି ଅଭିଯୋଗ ପାଇଁ ନୋଟିସ ଜାରି କରାଯାଇଛି ।