୨୪ରେ ନୀତିଶ କୁମାରଙ୍କ ଫ୍ଲୋର ଟେଷ୍ଟ

ପାଟନା : (ସଂକେତ୍ ଟିଭି) ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟରେ ନିଜର ବହୁମତ ସାବ୍ୟସ୍ତ କରିବେ । ଆସନ୍ତା ଅଗଷ୍ଟ ୨୪ରେ ଏହି ଫ୍ଲୋର ଟେଷ୍ଟ ହେବ । ଅଷ୍ଟମଥର ଭାବେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଛନ୍ତି ନୀତିଶ କୁମାର । ବିଜେପି ସହ ସମ୍ପର୍କ ତୁଟାଇ ପୁଣି ଥରେ ଆରଜେଡି ସହ ହାତ ମିଳାଇ ବିହାରରେ ମହାଗଠବନ୍ଧନ ସରକାର ଗତ଼ିଛନ୍ତି । ବିଜେପି ହାତ ଛାଡ଼ିବା ପରେ ଆରଜେଡି ଓ କଂଗ୍ରେସ ସହ ୭ଟି ଦଳର ସମର୍ଥନରେ ରାଜ୍ୟରେ ନୂଆ ମହାମେଣ୍ଟ ସରକାରର ଶାସନ ଆରମ୍ଭ କରିଛନ୍ତି ନୀତୀଶ କୁମାର ।

ଚର୍ଚ୍ଚା ହେଉଛି ଜାତୀୟ ରାଜନୀତିରେ ବିଜେପି ଓ ମୋଦିଙ୍କ ପତିଆରାରେ ବ୍ରେକ୍‌ ଲଗାଇବାକୁ ୨୦୨୪ରେ ବିରୋଧୀଙ୍କ ନେତା ସାଜିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି ନୀତୀଶ । ତେବେ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରିମଣ୍ଡଳର ଅନ୍ୟ କୌଣସି ସଦସ୍ୟ ଶପଥ ନେଇନାହାନ୍ତି । ନୀତିଶଙ୍କ ନେତୃତ୍ୱରେ ବିହାରରେ ମହାଗଠବନ୍ଧନ ସରକାରର ଦ୍ୱିତୀୟ ଭାଗ ଶାସନ ଆରମ୍ଭ ପରେ ଏହା ଏକ ମଜଭୁତ ସରକାର ହେବ ବୋଲି କହିଛନ୍ତି ଉପମୁଖମନ୍ତ୍ରୀ ତେଜସ୍ବୀ ଯାଦବ । ଅନ୍ୟପଟେ ଶପଥ ଗ୍ରହଣ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ନିଶାନା କରିଛନ୍ତି ନୀତୀଶ । ୨୦୧୪ରେ ଯେଉଁମାନେ କ୍ଷମତାକୁ ଆସିଥିଲେ, ୨୦୨୪ରେ ସେମାନେ ଜିତିବେ କି ବୋଲି ପ୍ରଶ୍ନ କରିଛନ୍ତି ନୀତୀଶ । ଏହାସହ ୨୦୨୪ ପାଇଁ ସମସ୍ତ ବିରୋଧୀଙ୍କୁ ଏକତ୍ରିତ ହେବାକୁ ଆହ୍ବାନ ବି ଦେଇଛନ୍ତି ।