ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ନବୀନ

ବାରିପଦା : (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ରାସଗୋବିନ୍ଦପୁର ବ୍ଲକ ଟିକପଡ଼ାଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ କରଞ୍ଜିଆ ବ୍ଲକ ହାତୀବାରୀଠାରେ ବହୁ ପ୍ରତୀକ୍ଷିତ ଦେଓ ଜଳସେଚନ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏହାସହ ୨ଟି ପର୍ଯ୍ୟାୟ ପ୍ରାୟ ୪୯୦ କୋଟି ଟଙ୍କାର ୧୯୪ ଟି ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଆଜି ମୟୂରଭଞ୍ଜ ଗସ୍ତରେ ଆସି ରାସଗୋବିନ୍ଦପୁର ବ୍ଲକ ଟିକିରିପଡ଼ାରେ ଅସ୍ଥାୟୀ ହେଲିକେପ୍ଟର ପଡ଼ିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ପରେ ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ମୟୂରଭଞ୍ଜର ୧୧ ହଜାର ୬୮୮ ହେକ୍ଟର ଓ ବାଲେଶ୍ୱରର ୫,୪୩୩ ହେକ୍ଟର ଚାଷ ଜମି ଜଳସେଚିତ ହେବ । ମୟୂରଭଞ୍ଜର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ।

କରଞ୍ଜିଆ ସବଡିଭିଜନର ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ପ୍ରାୟ ୫୮ କିଲୋମିଟର ଲମ୍ବା କେନାଲ ଦ୍ୱାରା ୩ଟି ବ୍ଲକର ୯ ହଜାର ୯୦୦ ହେକ୍ଟର ଚାଷଜମି ଜଳସେଚିତ ହେବ। ପଡ଼ୋଶୀ କେନ୍ଦୁଝର ସାହାରପଡ଼ା ବ୍ଲକର ୩୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ପ୍ରକଳ୍ପ ପାଣି ଯୋଗାଇବ। ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡ଼ାଯିବ। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୩୦ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ଅଭିଭାଷଣରେ କହିଥିଲେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ମୋର ଅଭିନନ୍ଦନ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ଦ୍ୱାରା ଆଦୃତ ହୋଇଛି । ସାରା ଓଡ଼ିଶା ଆଗକୁ ବଢ଼ିବାର ଚିତ୍ର ମୁଁ ଦେଖି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ‘ବିଭିନ୍ନ ଦୃଷ୍ଟିରୁ ମୟୂରଭଞ୍ଜର ଭୂମିକା ଗୁରୁତ୍ବପୂର୍ଣ୍ଣ ।

‘ନିଜ ଦକ୍ଷତା ବଳରେ ଜନଜାତି ପିଲା ସୁନାମ ଅର୍ଜନ କରୁଛନ୍ତି । କଳା ଓ ସଂସ୍କୃତିର ମାଟି ହେଉଛି ମୟୂରଭଞ୍ଜ ବୋଲି ସେ କହିଛନ୍ତି । ମୟୁରଭଞ୍ଜ ରାଜ୍ୟର ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ବୋଲି ମତ ଦେଇ ସେ କହିଲେ ଯେ ରାଜ୍ୟର ବିକାଶର ମୟୁରଭଞ୍ଜର ସ୍ବତନ୍ତ୍ର ଅବଦାନ ରହିଛି । ସମସ୍ତେ ମିଶି ଜିଲ୍ଲାର ଓ ସାରା ରାଜ୍ୟର ବିକାଶ ପାଇଁ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ସ୍ବାଗତ ଭାଷଣ ଦେଇଥିବା ବେଳେ ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଧାୟକ ସାଦାମ ମାର୍ଣ୍ଡି ଓ ରାଜକିଶୋର ଦାସ ପ୍ରମୁଖ ଭାଷଣ ଦେଇଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।