BusinessFeaturedLatest

୨୦୨୨-୨୩ରେ ଏସିଆର ସବୁଠୁ ଶକ୍ତିଶାଳୀ ଅର୍ଥନୀତି ପାଲଟିବ ଭାରତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ୨୦୨୨-୨୩ରେ ଏସିଆର ଶକ୍ତିଶାଳୀ ଅର୍ଥନୀତି ପାଲଟିବ ଭାରତ । ଅର୍ଥନୈତିକ ପଲିସି ସଂସ୍କାର ବଳରେ ଘରୋଇ ଚାହିଦା ବଢ଼ାଇବା ଲାଗି ଏହା ନିଜକୁ ଭଲ ଭାବେ ପ୍ରସ୍ତୁତ କରିଛି ବୋଲି ମୋର୍ଗାନ ଷ୍ଟାନ୍ଲେ ଏହାର ରିପୋର୍ଟରେ ପ୍ରକାଶ କରିଛି । ଯୁବ କାର୍ଯ୍ୟବଳ ଏବଂ ନିବେଶ ଭାରତୀୟ ଅର୍ଥନୀତି ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଏହା ପ୍ରକାଶ କରିଛି । ୨୦୨୨-୨୦୨୩ ଆର୍ଥିକବର୍ଷରେ ଭାରତର ହାରାହାରି ଅଭିବୃଦ୍ଧି ୭% ରହିବ । ଏସିଆ ଏବଂ ବିଶ୍ୱ ଅଭିବୃଦ୍ଧିକୁ ଏହା ଯଥାକ୍ରମେ ୨୮% ଏବଂ ୨୨% ଯୋଗଦାନ ଦେବ ବୋଲି ମୋର୍ଗାନ ଷ୍ଟାନ୍ଲେ ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକବର୍ଷରେ ଏସିଆର ତୃତୀୟ ବୃହତ ଅର୍ଥନୀତି ଭାରତ ୯.୨% ବଢ଼ିଥିଲା । କୋଭିଡ୍‌-୧୯ ମହାମାରୀରୁ ଅର୍ଥନୀତି ମୁକୁଳିଥିଲା । ମହାମାରୀ ପ୍ରଭାବରେ ୨୦୨୦-୨୧ରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୬% ସଂକୁଚିତ ହୋଇଥିଲା । ତେବେ ଅର୍ଥନୀତି ଏବେ ଠିକ୍ ଦିଗରେ ରହିଛି । ଦେଶର ନୀତିଗତ ସଂସ୍କାର ପ୍ରଗତିଶୀଳ ଅଛି । ଏଭଳି ସ୍ଥିତିରେ ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ଏସିଆର ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ହେବ ବୋଲି ମୋର୍ଗାନ ଷ୍ଟାନ୍ଲେ ପ୍ରକାଶ କରିଛି । ୨ ୦ ୨ ୨ – ୨ ୩ ରେ ଭାରତୀୟ ଅର୍ଥନୀତି ୮ରୁ ୮.୫% ବଢ଼ିବ ବୋଲି ଦେଶ ପୂର୍ବାନୁମାନ କରିଛି ।

ନିମ୍ନ କମ୍ପାନି ଟିକସ, ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍‌(ପିଏଲ୍‌ଆଇ), ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ବିବଧତା ଘରୋଇ ଚାହିଦା ବଜାୟ ରଖିବ ବୋଲି ମୋର୍ଗାନ ଷ୍ଟାନ୍ଲେ ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।ସମ୍ପ୍ରତି ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକରେ ପ୍ରତିକୂଳ ପରିସ୍ଥିତି । ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ । ଏଭଳି ପରିସ୍ଥିତିରେ ଭାରତ ପାଇଁ ଏକ ଉତ୍ତମ ଛବି ଆଙ୍କିଛି ବ୍ରୋକରେଜ୍‌ ସଂସ୍ଥା ମୋର୍ଗାନ ଷ୍ଟାନ୍ଲେ । କର୍ପୋରେଟ୍ ବାଲାନ୍ସ ସିଟ୍ ଭଲ ରହିଛି । ଭାରତର ନିବେଶ ଆଉଟ୍ଲୁକ୍ ମଧ୍ୟ ଦୃଢ଼ ଥିବା ଏହା କହିଛି । ଦେଶର ଘରୋଇ ଚାହିଦା ବଢ଼ିବ ଏବଂ ସାମଗ୍ରୀ ତୁଳନାରେ ସେବା ରପ୍ତାନି ବୃଦ୍ଧି ପାଇବ ବୋଲି ଏହା ପ୍ରକାଶ କରିଛି ।