ସମୀର ୱାଙ୍ଖଡେଙ୍କୁ ଜାତିଭିତ୍ତିକ ସାର୍ଟିଫିକେଟ ମାମଲାରେ ମିଳିଲା କ୍ଲିନଚିଟ୍‌

ମୁମ୍ବାଇ : (ସଂକେତ୍ ଟିଭି) ଏନସିବିର ପୂର୍ବତନ ଜୋନାଲ ଅଫିସର ସମୀର ୱାଙ୍ଖଡେଙ୍କୁ ଜାତିଭିତ୍ତିକ ସାର୍ଟିଫିକେଟ ମାମଲାରେ କ୍ଲିନଚିଟ୍‌ ମିଳିଛି । ତାଙ୍କୁ ମୁମ୍ବାଇର ସୋସିଆଲ ଜଷ୍ଟିସ ବିଭାଗ ଦ୍ବାରା ଗଠିତ କାଷ୍ଟ କମିଟି ପକ୍ଷରୁ ଏହି କ୍ଲିନ୍ ଚିଟ୍ ଦିଆଯାଇଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ସରକାରୀ ଚାକିରି କରିବା ଲାଗି ୱାଙ୍ଖଡେ ମିଥ୍ୟା ଜାତିଭିତ୍ତିକ ସାର୍ଟିଫିକେଟ ତିଆରି କରିଥିବା ଅଭିଯୋଗ ଆଣିଥିଲେ । ମଲ୍ଲିକ ଅଭିଯୋଗ ଆଣିଥିଲେ ଯେ, “ୱାଙ୍ଖଡେ ହେଉଛନ୍ତି ଜଣେ ମୁସଲିମ । ମାତ୍ର ସରକାରୀ ଚାକିରି ଲାଗି ସେ ମିଥ୍ୟା ଜାତିଭିତ୍ତିକ ସାର୍ଟିଫିକେଟ ତିଆରି କରିଥିଲେ । ସଂରକ୍ଷିତ ବର୍ଗରେ ତାଙ୍କୁ ଚାକିରି ମିଳିଛି

ନୱାବଙ୍କ ଏହି ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ମାତ୍ର କାଷ୍ଟ କମିଟି ତାଙ୍କୁ ଆଜି କ୍ଲିନଚିଟ୍‌ ଦେଇଛି । ସେ ଜନ୍ମରୁ ମୁସଲିମ ନଥିଲେ ବୋଲି କହିଛି କମିଟି । କମିଟି କହିଛି, “ୱାଙ୍ଖଡେ ଓ ତାଙ୍କ ପିତା ଜନ୍ମରୁ ମୁସଲିମ ଥିଲେ ବୋଲି ଏହା ପ୍ରମାଣିତ ହୋଇନାହିଁ । ମାତ୍ର ଏହା ପ୍ରମାଣିତ ହୋଇଛି ଯେ ସେମାନେ ମହାର- ୩୭ ଜାତି ମଧ୍ୟରେ ଅନ୍ତର୍ଭୁକ୍ତ ।”

ତେବେ ସୂଚନା ଥାଉ କି ଏହି ଅଭିଯୋଗ ପରେ ସମୀର ୱାଙ୍ଖଡେ ଗତବର୍ଷ ନଭେମ୍ବରରେ ଦିଲ୍ଲୀରେ ଥିବା ନାସନାଲ ସବମିଶନ ଫର୍‌ ସେଡ୍ୟୁଲ୍ଡ କାଷ୍ଟକୁ ଯାଇଥିଲେ ଏବଂ ନିଜର ଜାତିଭିତ୍ତିକ ସାର୍ଟିଫିକେଟ ଦାଖଲ କରିଥିଲେ । ଏହି ଦସ୍ତାବିଜ ମିଥ୍ୟା ପ୍ରମାଣିତ ହୋଇଥିଲେ ସମୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ବୋଲି କମିଶନର ଚେୟାରମ୍ୟାନ ବିଜୟ ସାମ୍ପଲା କହିଛନ୍ତି ।