ଷ୍ଟକ ମାର୍କେଟର ବିଗ୍‌ ବୁଲ୍‌ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ପରଲୋକ

ମୁମ୍ବାଇ : (ସଂକେତ୍ ଟିଭି) କୋଟିପତି ଉଦ୍ୟୋଗୀ, ସେୟାର୍‌ ବ୍ୟବସାୟୀ ଏବଂ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କର ଆଜି ସକାଳେ ୬୨ ବର୍ଷରେ ଦେହାନ୍ତ ହୋଇଯାଇଛି। ଆଜି ସକାଳ ୬.୪୫ ମିନିଟ୍‌ ସମୟରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ବିୟୋଗ ହୋଇଯାଇଥିଲା ବୋଲି ଡାକ୍ତରମାନେ କହିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୭ ତାରିଖରେ ଉଡ଼ାଣ ଆରମ୍ଭ କରିଥିବା ‘ଆକାଶ ଏୟାର୍‌’ର ସେଥିଲେ ଅନ୍ୟତମ ସହ-ସଂସ୍ଥାପକ। ‘ୱାରେନ୍‌ ବଫେ ଅଫ୍‌ ଦି ଇଣ୍ଡିଆନ୍‌ ମାର୍କେଟ୍‌’ ଏବଂ ‘ବିଗ୍‌ ବୁଲ୍‌’ ଭାବେ ପରିଚିତ ଝୁନ୍‌ଝୁନ୍‌ୱାଲା କିଛି ଦିନ ହେବ ଅସୁସ୍ଥ ଥିଲେ। ‘ଫୋର୍ବସ୍‌’ ଆକଳନ ଅନୁସାରେ, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫.୫ ବିଲିୟନ୍‌ ଡଲାର୍‌।

୫ ଜୁଲାଇ ୧୯୬୦ରେ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାକେଶ ଝୁନଝୁନୱାଲା ୧୯୮୫ ମସିହାରେ ଷ୍ଟକ୍ ମାର୍କେଟ୍‌ରେ ଟଙ୍କା ନିବେଶ କରିଥିଲେ। ହେଲେ ଫୋର୍ବସ ପତ୍ରିକା ଅନୁସାରେ, ତାଙ୍କର ସମ୍ପତ୍ତି ମୂଲ୍ୟ ଏବେ ୫.୫ ବିଲିୟନ ଆମେରିକୀୟ ଡଲାର। ରାକେଶ ଝୁନଝୁନୱାଲାଙ୍କ ଅନୁସାରେ ସେ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇଁ ଶେୟାର ମାର୍କେଟ୍‌ରେ ପୁଞ୍ଜି ନିବେଶ କରିବାରେ ଇଚ୍ଛା ପ୍ରକାଶ କରିଥିଲେ।

୧୯୮୬ ମସିହାରେ ଝୁନଝୁନୱାଲା ଟାଟା ଶେୟାର କିଣିବା ବେଳେ ତାଙ୍କର ପ୍ରଥମ ଲାଭ କମାଇଥିଲେ। ସେ ମାତ୍ର ୪୩ ଟଙ୍କାରେ ‘ଟାଟା ଟି’ରେ ୫ ହଜାର ଶେୟାର କିଣିଥିଲେ। ଏହାର ୩ ମାସ ପରେ ଏହି ଷ୍ଟକ୍ ବଢ଼ି ୧୪୩ ହୋଇଯାଇଥିଲା। ଫଳରେ ସେ ତାଙ୍କ ନିବେଶର ୩ ଗୁଣା ଲାଭ କମାଇଥିଲେ। ଏହାର ୩ ବର୍ଷ ପରେ ଝୁନଝୁନୱାଲା ୨୦-୨୫ ଲକ୍ଷ ଟଙ୍କା ଆୟ କରିଥିଲେ। ଶେୟାର ମାର୍କେଟ୍ ବ୍ୟତୀତ ରାକେଶ ଝୁନଝୁନୱାଲା ବିମାନସେବା ଆକାଶ ଏୟାରରେ ପୁଞ୍ଜି ନିବେଶ କରି ନିଜର ନୂଆ ବ୍ୟବସାୟ ଆରମ୍ଭ କରିଥିଲେ। ଯାହାର ଫ୍ଲାଇଟ୍‌ ଅଗଷ୍ଟ ୭ ତାରିଖରେ ପ୍ରଥମ ଉଡ଼ାଣ ଭରିଥିଲା।

ଶେୟାର ମାର୍କେଟ୍‌ରେ ପୁଞ୍ଜି ନିବେଶ ବ୍ୟତୀତ ସେ ଏପ୍‌ଟେକ ଲିମିଟେଡ୍ ଓ ହଙ୍ଗାମା ଡିଜିଟାଲ୍‌ ମିଡିଆର ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡର ଚେୟାରମ୍ୟାନ୍ ଥିଲେ। ତା ଛଡ଼ା ସେ ଆନେକ ଭାରତୀୟ ଫାର୍ମରେବି ନିର୍ଦ୍ଦେଶକ ରହିଛନ୍ତି। କେବଳ ସେତିକି ନୁହେଁ, ସେ ଭାରତର ଅନ୍ତର୍ଜାତୀୟ ଅଭିଯାନରେ ସେ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି।

ରାକେଶ ଝୁନଝୁନୱାଲା ବ୍ୟବସାୟରେ କେବଳ ଲାଭ କମାଇଛନ୍ତି ତା ନୁହେଁ ସମାଜର ମଙ୍ଗଳ ପାଇଁ ବି ଅନେକ ଯୋଗଦାନ ଦେଇଛନ୍ତି । ସ୍ୱାସ୍ଥ୍ୟସେବା, ପୋଷଣ ଯୋଗାଣ, ଶିକ୍ଷା ଇତ୍ୟାଦିରେ ଝୁନଝୁନୱାଲା ତାଙ୍କ ଆୟର ୨୫ ପ୍ରତିଶତ ଅର୍ଥଦାନ କରନ୍ତି। କ୍ୟାନସର ପ୍ରଭାବିତ ପିଲାମାନଙ୍କ ପାଇଁ ଅଶ୍ରୟ ଚଳାଉଥିବା ଏସ୍‌ଟି ଜଜ୍‌ଙ୍କ ଅଗସ୍ତ୍ୟା ଇଣ୍ଟରନ୍ୟାସନ୍‌ନାଲ ଫାଉଣ୍ଡେସନ ଓ ଶିଶୁମାନଙ୍କୁ ଯୌନ ଶୋଷଣ ବିଷୟରେ ସଚେତନତା ସୃଷ୍ଟି କରୁଥିବା ସଂସ୍ଥା ଅର୍ପଣକୁ ଝୁନ୍‌ଝୁନୱାଲା ଆର୍ଥିକ ସହଯୋଗ ଯୋଗାଉଥିଲେ। ତା ସହ ମହାରାଷ୍ଟ୍ରର ପାନଭେଲ୍‌ରେ ଶଙ୍କର ଆଇ ଫାଉଣ୍ଡେସନରେ ଯୋଗଦାନ କରି ୨୨୫ ବେଡ୍‌ ବିଶିଷ୍ଟ ରାକେଶ ଝୁନଝୁନୱାଲା ଶଙ୍କରା ଆଇ ହସ୍‌ପିଟାଲ୍ ସ୍ଥାପନା କରିଛନ୍ତି। ଏଠାରେ ମାଗଣା ଚକ୍ଷୁ ଚିକିତ୍ସା ଓ ସର୍ଜରି କରାଯାଉଛି।