ଟି୨୦ ବିଶ୍ୱକପ୍‌ରୁ ବାହାର ହୋଇପାରନ୍ତି ଜସପ୍ରିତ ବୁମ୍‌ରା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଏସିଆ କପ୍ ୨୦୨୨ ଲାଗି ନିକଟରେ ଦଳ ଘୋଷଣା କରିଥିଲା ବିସିସିଆଇ । ଏଥିରୁ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍‌ରାଙ୍କୁ ବାଦ୍ ଦିଆଯାଇଥିଲା । ପିଠିରେ ସମସ୍ୟା କାରଣରୁ ସେ ଚୟନ ଲାଗି ଉପଲବ୍ଧ ନ ଥିଲେ । ଏବେ ସେ ଏନ୍‌ସିଏରେ ରହି ସୁସ୍ଥ ହେଉଥିବା ବେଳେ କେବେ ସେ ସୁସ୍ଥ ହେବେ ସେ ନେଇ କେଣସି ସୂଚନା ମିଳିପାରୁନାହିଁ । ଏପରିସ୍ଥିତିରେ ସେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି ।

ଏକ ରିପୋର୍ଟରେ କୁହାଯାଇଛି ଯେ, ବୁମ୍‌ରା ନ ଖେଳିବା ଚିନ୍ତାର ବିଷୟ । ବୁମ୍‌ରାଙ୍କ କ୍ଷତ ପୂରୁଣା ହୋଇଥିବା ଚିନ୍ତାଜନକ । ଟି୨୦ ବିଶ୍ବକପ୍‌ ଖେଳାଯିବାକୁ ଆଉ ଦୁଇ ମାସ ବାକି ଅଛି । ତାଙ୍କୁ ଭୁଲ୍‌ ସମୟରେ ଆଘାତ ଲାଗିଛି । ଆମେ ତାଙ୍କ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିଛୁ । ସେ ଏବେ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲର୍ । ତାଙ୍କର ଚିକିତ୍ସା ଠିକ୍ ଭାବେ ହେବା ଆବଶ୍ୟକ । ତେବେ କହିରଖୁଛୁ, ବୁମ୍‌ରା ପୂର୍ବରୁ ମଧ୍ୟ ପିଠି ସମସ୍ୟାକୁ ନେଇ ଅନେକ ସିରିଜରୁ ବାଦ୍ ପଡ଼ିଛନ୍ତି । ଭାରତୀୟ ଟିମ୍‌ର ପ୍ରମୁଖ ଦ୍ରୁତ ବୋଲର ହୋଇଥିବା ଯୋଗୁ ବୁମ୍‌ରାଙ୍କ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ତାଙ୍କୁ ଅଧିକାଂଶ ସିରିଜରେ ଆରାମ ଦିଆଯାଇଛି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କୁ ଆରାମ ଦିଆଯାଇଥିଲା । ହେଲେ ସେ ଏସିଆ କପ୍‌ରେ ଖେଳିବାକୁ ଫେରିଥାନ୍ତେ । ଏବେ ବୁମ୍‌ରାଙ୍କ ଅନୁସ୍ଥିତିରେ ଭୁବନେଶ୍‌ର କୁମାର ଭାରତର ଦ୍ରୁତ ବୋଲିଂକୁ ସମ୍ଭାଳିବେ । ହେଲେ ସମୟ ଥାଉ ବୁମ୍‌ରା ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।