ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : (ସଂକେତ୍ ଟିଭି) ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନ ର ଗଙ୍ଗାନଗର ରୁ ବାହାରି , ରୋହତକ, ବାନଡା, ସିଦ୍ଧି, ଅମ୍ବିକାପୁରରୁ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଥିବା ଅବପାତ ର କେନ୍ଦ୍ର ରୁ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ର କେନ୍ଦ୍ର ଯାଏଁ ଲମ୍ବିଛି । ଏହା ବାୟୁମଣ୍ଡଳରେ ୧.୫ କିମି ଯାଏଁ ବ୍ୟାପିଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଛତିଶଗଡ଼ ଆଡ଼କୁ ମୁହାଁଇଛି । ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଭୁବନେଶ୍ଵର କଟକରେ ଦିନ ତମାମ ମେଘୁଆ ପାଗ ରହିବ । ପ୍ରବଳ ବର୍ଷା ଆଶଙ୍କା ନେଇ ଆଜି ପାଣିପାଗ ବିଭାଗ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ରେଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ହେବ । ରେଡ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ କଚ୍ଚାଘର ଭାଙ୍ଗିବା ସହ କଚ୍ଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି । ଏହାସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବ । ବିପଦସଂକୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି ।

ସେପଟେ ଗତ ୨୪ ଗଣ୍ଟା ମଧ୍ୟରେ ଜଗତସିଂହପୁର ଏରସମାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ପରେ ସୁନ୍ଦରଗଡ ହେମଗିରିରେ ୨୦୪ ମିମି ବର୍ଷା ହୋଇଛି । ଜଗତସିଂପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।