ଅଗଷ୍ଟ ୨୮ ତାରିଖରେ ଓଡିଶା କଂଗ୍ରେସର ଦିଲ୍ଲୀ ଚଲୋ ଡାକରା

ଭୁବନେଶ୍ବର : (ସଂକେତ୍ ଟିଭି) ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାରେ ପ୍ରତିବାଦ କରିବା ପାଇଁ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଯେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସଂପର୍କରେ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବାପାଇଁ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ଭିତରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ମଣ୍ଡି, ହାଟବଜାର, ଜନଗହଳି ପୂର୍ଣ୍ଣ ଅଂଚଳରେ ମହଙ୍ଗାଇ ପର ଚର୍ଚ୍ଚା କରିବା ସହ ଓ ପ୍ରଚାରପତ୍ର ବଣ୍ଟନ କରାଯିବ। ଏହା ସହିତ ୨୮ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ‘ମହଙ୍ଗାଇ ପର ହଲ୍ଲା ବୋଲ-ଦିଲ୍ଲୀ ଚଲୋ’ ଅନୁଷ୍ଠିତ ହେବ ।

ସେ କହିଛନ୍ତି, “ଦେଶରେ ଅହେତୁକ ଦରବୃଦ୍ଧି ଘଟି ଲୋକେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଥିବା ବେଳେ ଉତ୍କଟ ବେକାରୀ ସମସ୍ୟା ଦେଶର ଯୁବସମାଜକୁ ହତାଶ ଓ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି । ୨୦୧୪ ମସିହାରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଚାକିରି, ସମସ୍ତଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଜମା ତଥା ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରତିଶ୍ରୁତି ଦେଶବାସୀଙ୍କୁ ଦେଇଥିଲେ । ହେଲେ ସେ ସମସ୍ତ ପ୍ରତିଶ୍ରୁତିକୁ ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଦରଦାମ ବୃଦ୍ଧି ଏବେ ଲୋକଙ୍କ ଜୀବନକୁ ଦୁଃର୍ବିସହ କରିଦେଇଥିବା ବେଳେ ନିଯୁକ୍ତି ଅଭାବାରୁ ଯୁବ ସମାଜ ଗଭୀର ହତାଶ ଭିତରେ ଜୀବନ ଅତିବାହିତ କରୁଛନ୍ତି । ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ଓ ଡିଜେଲ ଆସି ଟ.୯୫.୧୫ ପଇସା ରେ ପହଞ୍ଚିଛି । କେନ୍ଦ୍ର ସରକାର ଏହି ସଦ୍ୟତମ ଜିଏସଟି କାଉନସିଲ ବୈଠକରେ ଅଟା, ଗୁଡ଼, ଖଇ, ଉଖୁଡ଼ା, ଚାଉଳଚୂନା, ଚୁଡ଼ା, ମୂଢ଼ି, ପନିର, ଦହି, ପେନସିଲ କଟର ନୋଟ ଖାତା ଉପରେ ୫% ଜିଏସଟି ଟ୍ୟାକ୍ସ ବସାଇଛନ୍ତି । ଗ୍ୟାସ ଉପରେ ସବସିଡି ସଂପୂର୍ଣ୍ଣ ବନ୍ଦ କରିଦିଆଯାଉଛି । କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୨୭.୭ ଲକ୍ଷ କୋଟି ଟଙ୍କା କର ଆଦାୟ କରିଛନ୍ତି । କିନ୍ତୁ ଧାର୍ଯ୍ୟଥିଲା ମାତ୍ର ୨୨ଲକ୍ଷ କୋଟି ଟଙ୍କା । ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ଟିକସ କେନ୍ଦ୍ର ସରକାର ଆଦାୟ କରୁଥିବା ବେଳେ ଦରଦାମ କାହିଁକ ଉତ୍କଟ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ।

ସେହିପରି ବେକାରୀ ସମସ୍ୟା ଦେଶରେ ଉତ୍କଟ ହେବାରେ ଲାଗିଛି । ବର୍ଷକୁ ୨ କୋଟି ଚାକିର ଦେବାପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲା ବେଳେ ତାହା ଏବେ ଯୁବ ସମାଜ ପାଇଁ ସ୍ବପ୍ନ ପାଲଟିଛି । ୨୦୧୪ ମସିହାରୁ ୨୦୨୨ ବର୍ଷ ଭିତରେ ୧୪ କୋଟି ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଗ୍ରାମାଞ୍ଚଳ ଅପକ୍ଷୋ ସହରାଞ୍ଚଳରେ ବେକାରୀ ସମସ୍ୟା ଅଧିକ ଉତ୍କଟ ଧାରଣ କରିଛି । କେନ୍ଦ୍ର ସରକାର ଯୁବକଯୁବତୀ ମାନଙ୍କର ଭବିଷ୍ୟତକୁ ମଧ୍ୟ ଖେଳୁଛନ୍ତି ବୋଲି ସେ କହିଛନ୍ତି ।