ଗୋପାଳପୁର ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ ସହ ଧସ୍ତାଧସ୍ତି କଲେ ବିଜେଡି କର୍ମୀ

ବ୍ରହ୍ମପୁର : (ସଂକେତ୍ ଟିଭି) ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀ କମଳାପୁର ଗାଁରେ କେତେକ ଦଳୀୟ କର୍ମୀ କଳା ପତାକା ପ୍ରଦର୍ଶନ କରିବା ସହ ବିଧାୟକଙ୍କୁ ଧସ୍ତାଧସ୍ତି କରିଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନା ଅନୁସାରେ, କମଳାପୁର ଗାଁରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା । ଏଥିରେ ଅତିଥି ଭାବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ପହଞ୍ଚିବା ମାତ୍ରେ କିଛି ବିଜେଡି କର୍ମୀ ସେଠି ପହଞ୍ଚି ପ୍ରଦୀପଙ୍କୁ ବିରୋଧ କରିଥିଲେ । ଖୋଲାଖୋଲି ଭାବେ ମୁର୍ଦ୍ଦାବାଦ୍ ନାରା ଦେବା ସହ ହୋହଲ୍ଲା କରିଥିଲେ । ଏପରିକି ପ୍ରଦୀପଙ୍କୁ ଠେଲାପେଲା ମଧ୍ୟ କରାଯାଇଥିବା ସୂଚନା ମିଳିଛି । ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଜେଡି କର୍ମୀ ଓ ବିଧାୟକଙ୍କ ସମର୍ଥଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏସବୁ ସତ୍ତ୍ବେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆୟୋଜିତ ସ୍ବାଧୀନତା ଦିବସ ସମାରୋହରେ ଯୋଗ ଦେଇ ଫେରିଥିଲେ ।

ସୂଚନାଯୋଗ୍ୟଯେ, ଦୁର୍ନୀତି ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ମାମଲାରେ ସେ ଗିରଫ ବି ହୋଇଥିଲେ ।