ଜିମ୍ବାୱେ ସହିତ ବଡ ଟିମ୍ ଖେଳିବା ଉଚିତ: ଲାଲଚାନ୍ଦ ରାଜପୁତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପୂର୍ବତନ ଭାରତୀୟ କ୍ରିକେଟ ଦଳର ଓପନର ତଥା ନ୍ୟାସନାଲ କ୍ରିକେଟ ଏକାଡେମୀର ପୂର୍ବତନ ବ୍ୟାଟିଂ କୋଚ ଲାଲଚାନ୍ଦ ରାଜପୁତ କହିଛନ୍ତି ଯେ ଜିମ୍ବାୱେ ବିରୋଧରେ ବଡ ଦଳ ଖେଳିବା ଉଚିତ । କାରଣ ବଡ ଦଳ ସହିତ ଖେଳିଲେ ଜିମ୍ବାୱେ କ୍ରିକେଟର ନିଶ୍ଚିତ ଉନ୍ନତି ହୋଇ ପାରିବ । କାରଣ ପ୍ରତିଷ୍ଠିତ ଦଳ ସହିତ ଖେଳିଲେ ସେମାନେ ବିଶେଷ ଅଭିଜ୍ଞତା ହାସଲ କରି ପାରିବେ ।

୨୦୧୬ ପରେ ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ବିରୋଧରେ ଜିମ୍ବାୱେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବା ସୁଯୋଗ ପାଇନାହିଁ । ତେଣୁ ଚଳିତ ମାସରେ ଭାରତ ବିପକ୍ଷ ଦିନିକିଆ ସିରିଜ ଖେଳିବା ପାଇଁ ଜିମ୍ବାୱେ ଦଳ ଅତି ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି । ଅବଶ୍ୟ ଯେ କୌଣସି ଭାରତୀୟ ଦଳକୁ ପରାସ୍ତ କରିବା ବଡ ଚାଲେଞ୍ଜ ହୋଇ ଥିବା ବେଳେ ଜିମ୍ବାୱେ ଦଳ ଏଥିପାଇଁ ମାନସିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ଜିମ୍ବାୱେ ବିଜୟୀ ହୋଇ ଥିବାରୁ ଭାରତ ବିପକ୍ଷ ସିରିଜରେ ଭଲ ଖେଳିବା ପାଇଁ ମନୋବଳ ଦୃଢ଼ କରିଛନ୍ତି । କାରଣ ଜିମ୍ବାୱେ ଦଳ ପାଇଁ ଏହା ଏକ ବଡ ସୁଯୋଗ ।

ତେଣୁ ବାଂଲାଦେଶ ବିପକ୍ଷ ସିରିଜର ସଫଳତା ଦୋହରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଜିମ୍ବାୱେ ଦଳର କେତେକ ବରିଷ୍ଠ ଖେଳାଳି ସିଆନ ୱିଲିୟମ୍ସ,କ୍ରେଗ ଏରଭିନେ ,ବ୍ଳେସିଂ ବାଜାରବାଦି, ତେନ୍ଦାଇ ଚତାରା ପ୍ରମୁଖ ଆଘାତ ଜନିତ କାରଣ ନେଇ ଭାରତ ବିପକ୍ଷ ସିରିଜ ଖେଳିବାରୁ ବଂଚିତ ହୋଇ ଥିଲେ ହେଁ ସିକନ୍ଦର ରାଜାଙ୍କ ସହିତ ଏକାଧିକ ଲଢ଼ୁଆ ଖେଳାଳି ଦଳରେ ଅଛନ୍ତି । ସେହିପରି ଏହି ସିରିଜ ୨୦୨୩ ଦିନିକିଆ ବିଶ୍ୱକପ ସୁପର ଲିଗ ଅନ୍ତର୍ଗତ ହୋଇ ଥିବାରୁ ଜିମ୍ବାୱେ ଦଳ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ତେବେ ଭାରତୀୟ ଦଳ ପ୍ରତି ବର୍ଷ ଜିମ୍ବାୱେ ବିପକ୍ଷରେ ଅତି କମରେ ଗୋଟିଏ ସିରିଜ ଖେଳିବା ଉଚିତ । ଏହା ଫଳରେ ଜିମ୍ବାୱେ ଦଳର ଯୁବ ଖେଳାଳି ମାନେ ବିଶେଷ ଉପକୃତ ହୋଇ ପାରିବେ ।

ଅନ୍ୟ ପକ୍ଷରେ ଏହି ସିରିଜ ଅବସରରେ ପୁରୁଣା ବନ୍ଧୁ ତଥା ସଂପ୍ରତି ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଳକ୍ଷ୍ମଣଙ୍କ ସହିତ ଭାରତୀୟ ଦଳର ଏକାଧିକ ସପୋର୍ଟ ଷ୍ଟାଫଙ୍କ ସହିତ ମିଶିବା ସୁଯୋଗ ମିଳିବ । ଲକ୍ଷ୍ମଣ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଆସିଥିବା ଭାରତୀୟ ଦଳର କୋଚ ଅଛନ୍ତି । ଏହା ବ୍ୟତିତ ମୁଁ ବେଙ୍ଗାଲୁର ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀର ବ୍ୟାଟିଂ କୋଚ ଥିବା ବେଳେ ମୋ ଅଧିନରେ ତାଲିମ ନେଉଥିବା ଭାରତୀୟ ଦଳର ଅଧିନାୟକ କେଏଲ ରାହୁଲ, ଋତୁରାଜ ଗାଏକ୍ୱାଡ, ଦୀପକ ହୁଦା, ସଞ୍ଜୁ ସାମସନ, ରାହୁଲ ତ୍ରିପାଠୀ ମଧ୍ୟ ଏହି ସିରିଜ ଖେଳିବା ପାଇଁ ଏଠାକୁ ଆସି ଥିବାରୁ ସେମାନଙ୍କ ସହିତ ମିଶିବା ଅନ୍ୟତମ ଖୁସିର ବିଷୟ ।

ସୂଚନା ଯୋଗ୍ୟ ଯେ ଲାଲଚାନ୍ଦ ରାଜପୁତ ୨୦୧୮ରେ ଜିମ୍ବାୱେ ଦଳର ମୁଖ୍ୟକୋଚ ନିଯୁକ୍ତ ହୋଇ ଥିବା ବେଳେ ୨୦୨୨ରୁ ଦଳର ଟେକନିକାଲ ଡାଇରେକ୍ଟର ଭାବେ କାର୍ଯ୍ୟ କରି ଆସୁଛନ୍ତି । ତେବେ ଚଳିତ ଭାରତ ବିପକ୍ଷ ଦିନିକିଆ ସିରିଜ୍ ନେଇ ରାଜପୁତ ବେଶ୍‌ ଖୁସି ଅଛନ୍ତି ।