ଟେଷ୍ଟ ଓ ଦିନିକିଆକୁ ବଞ୍ଚାଉ ଆଇସିସି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିନକୁ ଦିନ ଲୋକପ୍ରିୟତା ହରାଉଛି ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍ । ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟର ବହୁଳ ପ୍ରଚାର ପ୍ରସାର ଏବଂ ଲିଗ୍ ମ୍ୟାଚ୍ ଏବଂ ସିରିଜ୍‌ ଖେଳାଯାଉଥିବାରୁ ଟେଷ୍ଟ ଏବଂ ଦିନିକିଆ ଫର୍ମାଟ ପ୍ରତି କ୍ରିକେଟ ପ୍ରେମୀଙ୍କ ରୁଚି କମିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ୧୯୮୩ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ । ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ପ୍ରତି ବିଶେଷ ଧ୍ୟାନ ଦେବା ସହ ଏହାକୁ ବଞ୍ଚାଇ ରଖିବା ପାଇଁ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲକୁ ଅନୁରୋଧ କରିଛନ୍ତି କପିଳ ଦେବ ।

ଅନ୍ୟପଟେ ଅନେକ ଦେଶରେ ଲିଗ୍ କ୍ରିକେଟର ପ୍ରଭାବ ବଢିବାରେ ଲାଗିଛି । ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଇଂଲଣ୍ଡ ପରେ ଏବେ ୟୁଏଇ ଏବଂ ଦକ୍ଷିଣ ଅଫ୍ରିକାରେ ଲିଗ୍‌ କ୍ରିକେଟ ଆରମ୍ଭ ହେବାକୁ ଯାଉଛି । ତେଣୁ ଦିନିକିଆ ଏବଂ ଟେଷ୍ଟ ଫର୍ମାଟର ଭବିଷ୍ୟତକୁ ନେଇ ଏବେ ଠାରୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଏହି ଦୁଇଟି ଫର୍ମାଟକୁ ବଞ୍ଚାଇ ରଖିବାକୁ ଆଇସିସିକୁ ନିବେଦନ କରିଛନ୍ତି କପିଲ ଦେବ ।

ନିକଟରେ କିଛି କ୍ରିକେଟର, ବ୍ୟସ୍ତ କ୍ରିକେଟ ସେଡ୍ୟୁଲ କଥା କହି ଦିନିକିଆ ଫର୍ମାଟରୁ ଅବସର ନେଇଯାଇଥିଲେ । ସେମାନଙ୍କ ମଧ୍ୟରେ ବେନ୍ ଷ୍ଟୋକସ୍ ହେଉଛନ୍ତି ଜ୍ୱଳନ୍ତ ଉଦାହରଣ । କାରଣ ଫର୍ମରେ ଥାଇ ବି ସେ ଅବସର ଘୋଷଣା କରିଦେଇଥିଲେ । ସେହିଭଳି ଅଷ୍ଟ୍ରେଲିଆରେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଅ । ସିରିଜ ମଧ୍ୟ ରଦ୍ଦ କରିଦେଇଛି ଇଂଲଣ୍ଡ । କାରଣ ସେହି ସମୟରେ ସେହି ସମୟରେ ଦକ୍ଷିଣ ଆଫ୍ରିକାରେ ଟ୍ୱେଣ୍ଟି ଟ୍ୱେଣ୍ଟି ଲିଗ୍ ଚାଲିଥିବ । ଏହାକୁ ନେଇ କପିଲ ଦେବ କହିଛନ୍ତି, ଆମେମାନେ କଣ ଭବିଷ୍ୟତରେ କେବଳ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଏବଂ କ୍ଲବ ମ୍ୟାଚ୍‌ କ୍ରିକେଟ ହିଁ ଖେଳିବା? କ୍ରିକେଟର ମାନେ କଣ କେବଳ ଆଇପିଏଲ, ବିଗ୍ ବାଶ୍ ଭଳି ଲିଗ୍ ହିଁ ଖେଳିବେ? ଆଇସିସିକୁ ଏ ନେଇ ଚିନ୍ତା କରିବା ଆବଶ୍ୟକ । ଏକଦିବସୀୟ କ୍ରିକେଟ, ଟେଷ୍ଟ ଫର୍ମାଟ ଏବଂ ଟି ଟ୍ୱେଣ୍ଟି ଫର୍ମାଟକୁ ଏକାସଙ୍ଗେ ନଜର ରଖିବା ନିହାତି ଜରୁରୀ । ତାହା ନହେଲେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟର ଅସ୍ଥିତ୍ୱ ହଜିଯିବ ।