ବିନା କାରଣରେ ସ୍ବାମୀଙ୍କ ସହିତ ନ ରହିବା ଏକ ପ୍ରକାର ନିର୍ଯାତନା : ଫ୍ୟାମିଲି କୋର୍ଟ

ଭୋପାଳ : (ସଂକେତ୍ ଟିଭି) କୌଣସି ବୈଧ କାରଣ ବିନା ସ୍ତ୍ରୀ‌ ସ୍ବାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ ସମାନ। ଏହା ଏକ ପ୍ରକାର ନିଷ୍ଠୁରତା। ଏଭଳି ପରିସ୍ଥିତିରେ ସ୍ବାମୀ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ । ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏହି ଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।

ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ବୈଧ କାରଣ ବିନା ସ୍ତ୍ରୀ‌ ସ୍ବାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ ସମାନ। ଏହା ଏକ ପ୍ରକାର ନିଷ୍ଠୁରତା। ଏହା ସହିତ କୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି।

ଆଡଭୋକେଟ ମନୋଜ ବିନିୱାଲେ କହିଛନ୍ତି ଯେ ୨୦୧୬ରେ ଇନ୍ଦୋରର ବାସିନ୍ଦା ସିଦ୍ଧେଶ୍ୱର କୁମାର ଜୟପୁରର କରୀନା ସିଂଙ୍କୁ ବିବାହ କରିଥିଲେ। ଦୁହେଁ ମାଟ୍ରିମୋନିଆଲ ସାଇଟ୍‌ ଦ୍ୱାରା ଚିହ୍ନା ପରିଚୟ ହୋଇ କିଛି ଦିନ ପରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀଙ୍କ ଆଚରଣ ବଦଳି ଯାଇଛି ବୋଲି ଦର୍ଶାଇ ସ୍ବାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ। ବିବାହର ପ୍ରଥମ ରାତିରେ ମଧ୍ୟ ସ୍ତ୍ରୀ ତାଙ୍କୁ କହିଥିଲେ ଯେ ସେ ଅନ୍ୟ କାହା ସହ ସମ୍ପର୍କ ରଖିଛନ୍ତି ଏବଂ ସେ ଏହା ଜାରି ରଖିବେ। ଏହା ପରେ ମଧ୍ୟ ସିଦ୍ଧେଶ୍ୱର ବିଚଳିତ ହୋଇ ନଥିଲେ।

ସିଦ୍ଧେଶ୍ୱର କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସ୍ତ୍ରୀ ଶୁଣିଲେ ନାହିଁ। ସେ ସ୍ବାମୀଙ୍କୁ ନ ଜଣାଇ ଘରୁ ବାହାରିଯାଉଥିଲେ। ବେଳେବେଳେ ସେ ମୋବାଇଲ ବନ୍ଦ କରିଦେଉଥିଲେ। ବାରମ୍ବାର କଲ୍‌ ସତ୍ତ୍ୱେ ମଧ୍ୟ ବେଳେବେଳେ ସେ ଫୋନ ମଧ୍ୟ ଉଠାଇ ନଥାନ୍ତି। ପରେ ସେ କହିଥିଲେ ଯେ ଭବିଷ୍ୟତରେ ସେ ନିଜ ପ୍ରେମିକ ସହିତ ରହିବେ। ଏହା ପରେ ସିଦ୍ଧେଶ୍ୱର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ସେହିଭଳି ଅନ୍ୟ ଏକ ମାମଲାରେ କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ଦ୍ୱାରା ବାରମ୍ବାର ଅପମାନିତ ହେବା ଏବଂ ସ୍ତ୍ରୀଙ୍କୁ ଅନ୍ୟ ମହିଳାଙ୍କ ସହ ତୁଳନା କରିବା ମାନସିକ ନିଷ୍ଠୁରତାର ଏକ ରୂପ। କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ବାରମ୍ବାର ଅପମାନ ଛାଡପତ୍ର ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ। ତଥାପି, ଆଇନ ଏହି ସତ୍ୟକୁ ଧ୍ୟାନ ଦେବା ଉଚିତ। ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରି ହାଇକୋର୍ଟ ଏଭଳି କହିଥିଲେ।

ଛାଡପତ୍ର ମାମଲାରେ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ସ୍ବାମୀ ତାଙ୍କୁ ବାରମ୍ବାର କଟାକ୍ଷ କରୁଛନ୍ତି। ସ୍ବାମୀ ତାଙ୍କର କୌଣସି ଆଶା ଆକାକ୍ଷାଂ ପୂରଣ କରନ୍ତି ନାହିଁ। ଅନ୍ୟ ମହିଳାଙ୍କ ତୁଳନାରେ ସେ ତାଙ୍କୁ ନିରାଶ କରନ୍ତି। ଏହା ଏକ ପ୍ରକାର ମାନସିକ ନିଷ୍ଠୁରତା ବୋଲି କୋର୍ଟ କହିଛନ୍ତି। ତେବେ, ଛାଡପତ୍ର ପାଇଁ ଏହା ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ଦର୍ଶାଇଛନ୍ତି।