୩୦ ଯାଏଁ କଡ଼ାକଡି ହେବ ହେଲମେଟ ଚେକିଂର ସ୍ପେଶାଲ ଡ୍ରାଇଭ୍‌

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟରେ ରାସ୍ତା ଦୁର୍ଘଟଣା ଚିନ୍ତାଜନକ ସ୍ଥିତିରେ ପହଁଚି ଥିବା ବେଳେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି । ସାରା ରାଜ୍ୟରେ ଚାଲିଛି ହେଲମେଟ ଚେକିଂ କଡାକଡି ହୋଇଥିବା ବେଳେ ଅଗଷ୍ଟ ୩୦ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ । ବିନା ହେଲମେଟରେ ଯାଉଥିବା ବାଇକ ଚାଳକଙ୍କ ସହ ପଛରେ ବିନା ହେଲମେଟରେ ବସୁଥିବା ଲୋକଙ୍କ ପାଇଁ ଏହି ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି ।

୨୦୨୧ ମସିହାରେ ରାଜ୍ୟରେ ଦୁଇ ଚକିଆ ଯାନରେ ଦୁର୍ଘଟଣା ଘଟି ୮୬୮ ଚାଳକ ଓ ୪୪୦ ବସିଥିବା ବ୍ୟକ୍ତି ମୋଟ ୧୩୦୮ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିଲେ । ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଥିଲେ । ଓଡ଼ିଶାରେ ବିଶେଷ ଭାବେ ବସିଥିବା ଲୋକ ହେଲମେଟ ପିନ୍ଧୁ ନ ଥିବାର ଦେଖିବାକୁ ମିଳିଛି । ଏହି ସ୍ୱତନ୍ତ୍ର ଡ୍ରାଇଭରେ ଏଭଳି ଯାତ୍ରୀଙ୍କ ସମେତ ତିନି ଜଣିଆ ଯାତ୍ରୀ ଓ ନାବାଳକ ଡ୍ରାଇଭରଙ୍କୁ ଦଣ୍ଡିତ କରାଯିବାର ଯୋଜନା ରହିଛି ।

ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ, ବିନା ହେଲମେଟରେ ଗାଡି ଚଳାଇଲେ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଛି । ଯଦି ବସିଥିବା ଲୋକ ହେଲମେଟ ପିନ୍ଧି ନାହାନ୍ତି ତେବେ ଡ୍ରାଇଭରଙ୍କ ଲାଇସେନ୍ସ ତିନି ମାସ ପାଇଁ ବାତିଲ ହେବା ସହିତ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଛି ବୋଲି ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।