ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ଘରେ ସିବିଆଇ ଚଢାଉ ହୋଇଛି । ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଘଟଣାରେ ସିବିଆଇ ଆଜି ଏହି ଚଢାଉ କରିଥିବା ଜଣାପଡିଛି ।

କିଛିଦିନ ତଳେ ଉପରାଜ୍ୟପାଳ ବିନୟ ସକସେନା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଅବକାରୀ ନୀତିର ଯାଞ୍ଚ ପାଇଁ ସୁପାରିଶ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ଉପରାଜ୍ୟପାଳ ଏହି ପ୍ରସଙ୍ଗ ଉଠାଇଥିଲେ । ଯେଉଁ ରିପୋର୍ଟରେ ମନୀଷଙ୍କ ଭୂମିକା ଉୁପରେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଥିଲା ।

ମନୀଷ ଟ୍ୱିଟ୍ କରି ସିବିଆଇ ଟିମ୍ ଘରେ ପହଁଚିଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇକୁ ସ୍ୱାଗତ । ସେ ଦୁର୍ନୀତିଖୋର ନୁହେଁ । ଲକ୍ଷଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । କିନ୍ତୁ ଦେଶରେ ଯିଏ ଭଲ କାମ କରିବ ତାକୁ ହଇରାଣ କରାଯିବ । ତେଣୁ ଦେଶ ଏକ ନମ୍ବରରେ ପହଁଚି ପାରିନି ।

ସେ ଆହୁରି କହିଛନ୍ତି ଯେ, ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ସତ ବହୁତ ଶୀଘ୍ର ସାମ୍ନାକୁ ଆସିବ । ଦେଶରେ ଭଲ ଶିକ୍ଷା ପାଇଁ ତାଙ୍କ କାମ ଅଟକିବ ନାହିଁ ବୋଲି ସେ କହିଛନ୍ତି । କିଛି ଲୋକେ ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଖୁସି ନାହାଁନ୍ତି । ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ମିଛ ଅଭିଯୋଗ ଲାଗିଛି । କୋର୍ଟରେ ସତ ସାମ୍ନାକୁ ଆସିବ ।

ସିଶୋଦିଆଙ୍କ ଘରେ ସିବିଆଇ ଟିମ୍ ନେଇ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ସେ କହିଛନ୍ତି ଯେ, ପୂର୍ବରୁ ବି ଅନେକ ଚଢଉ ହୋଇଛି । କିଛି ମିଳିନି । ଯେଉଁଦିନ ଆମେରିକା ଖବରକାଗଜର ପ୍ରଥମ ପେଜରେ ଦିଲ୍ଲୀ ଶିକ୍ଷାବ୍ୟବସ୍ଥା ଉପରେ ଖବର ଆସିଲା ସେଦିନ ହିଁ ସିବିଆଇ ଚଢଉ କରିଛି ବୋଲି ସେ କହିଛନ୍ତି ।