ବୁମରା ଓ ସାମିଙ୍କ ଅନୁସ୍ଥିତି ସତ୍ତ୍ୱେ ଆମେ ଲଢ଼ିବୁ: ରୋହିତ ଶର୍ମା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ କ୍ରିକେଟ ଦଳ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଗତ ବର୍ଷ ୟୁନାଇଟେଡ ଅରବ ଏମିରେଟ୍ସରେ ଅନୁଷ୍ଠିତ ଟି-୨୦ କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚରେ ଆମେ ପାକିସ୍ତାନ ନିକଟରୁ ହାରିବା ମହଙ୍ଗା ସାବ୍ୟସ୍ତ ହୋଇ ଥିଲା । ତେବେ ସେ ଦିନର ଘଟଣା ଅତୀତ ହୋଇ ଯାଇଛି । କାରଣ ପୁଣି ଆଉ ଏକ ବିଶ୍ୱକପ ନିକଟତର । ସେହିପରି ଆସନ୍ତା ୨୭ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ୟୁନାଇଟେଡ ଆରବ ଏମିରେଟସ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆ କପରେ ମଧ୍ୟ ଆମେ ପାକିସ୍ତାନକୁ ଭେଟିବୁ । ତେଣୁ ଆଗାମୀ ମୁକାବିଲାରେ ଗତ ବର୍ଷ ପରିସ୍ଥିତି ଭୋଗିବା ପ୍ରଶ୍ନ ଉଠୁନି ।

ଯଦିଓ ଆଘାତ ଜନିତ କାରଣ ନେଇ ପେସ୍ ବୋଲର ଯଶପ୍ରୀତ ବୁମରା ଓ ମହମଦ ସାମି ଏସିଆ କପ ଖେଳିବେ ନାହିଁ,ତେବେ କୌଣସି ଚିନ୍ତା ନାହିଁ । କାରଣ ଭାରତୀୟ କ୍ରିକେଟରେ ସଂଖ୍ୟାଧିକ ପେସ୍ ବୋଲର ମହଜୁଦ ଅଛନ୍ତି । ତେଣୁ ଜଣେ କିମ୍ବା ଦୁଇ ଜଣ ବୋଲର ଅନୁପସ୍ଥିତି ହେଲେ ମଧ୍ୟ କୌଣସି ଚିନ୍ତା ନାହିଁ । ଭାରତ ବର୍ତ୍ତମାନ ଲଗାତର ଅନ୍ତର୍ଜାତୀୟ ସିରିଜ ଖେଳି ଆସୁଥିବା ଦୃଷ୍ଟିରୁ ଖେଳାଳିଙ୍କର ଆହତ ଜନିତ ସମସ୍ୟା ରହିବା ନିଶ୍ଚିତ । ତେଣୁ ସେହି ଅନୁଯାୟୀ ଆମକୁ ସବୁବେଳେ ପ୍ରସ୍ତୁତ ହୋଇ ରହିବାକୁ ପଡିବ ।

ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ଏହି ପ୍ରସଙ୍ଗ ନେଇ ମୋ ସହିତ ଆଲୋଚନା କରିଛନ୍ତି । ତେଣୁ ସବୁବେଳେ ବିକଳ୍ପ ବ୍ୟବସ୍ଥା କରିବା ଅତ୍ୟନ୍ତ ଜରୁରି । ବର୍ତ୍ତମାନ ମହମଦ ସିରାଜ, ଅଭେସ ଖାନ, ଆର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ନା ଓ ଶାର୍ଦ୍ଦୁଳ ଠାକୁରଙ୍କ ପରି ପ୍ରଭାବୀ ପେସ୍‌ ବୋଲର ଅଛନ୍ତି । ତେଣୁ ଜଣେ କିମ୍ବା ଦୁଇ ଜଣ ପେସ୍ ବୋଲର କୌଣସି କାରଣ ନେଇ ଖେଳିବା ପାଇଁ ସମର୍ଥ ନ ହେଲେ ମଧ୍ୟ ସେମାନଙ୍କ ସ୍ଥାନ ପୂରଣ ପାଇଁ ବିକଳ୍ପ ‌ଖେଳାଳି ଦଳରେ ମହଜୁଦ ଅଛନ୍ତି । ଆସନ୍ତା ଅକ୍ଟୋବର -ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଆୟୋଜନ କରିବ । ଏହା ପୂର୍ବରୁ ଆମେ ଟି-୨୦ ଏସିଆ କପ ସହିତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ତେଣୁ ଆଗାମୀ ବିଶ୍ୱକପ ପାଇଁ ଆମେ ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛୁ ବୋଲି ରୋହିତ କହିଛନ୍ତି ।