ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷାରେ ବିଭ୍ରାଟ୍, ପୁଣି ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର : (ସଂକେତ୍ ଟିଭି) ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷାରେ ବଡ ଧରଣର ବିଭ୍ରାଟ ଲାଗି ଅଶାୟୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଆଜିର ପରୀକ୍ଷା ବାତିଲ୍ ପରେ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନର ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ଅନେକ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ସହ ନିରାଶ ହୋଇ ଘରକୁ ଫେରିଥିଲେ।

ତେବେ ଏସ୍‌ଆଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ମୁତାବକ, ସିବିଟି ଟେଷ୍ଟ ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ପାଇଁ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା ।ଫଳରେ ପରୀକ୍ଷାର୍ଥୀ ଠିକ୍ ସମୟରେ ପରୀକ୍ଷା ଦେଇନପାରିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି କହିଛନ୍ତି, ଏହା ସଫ୍ଟଓୟାରରେ ତ୍ରୁଟି ‌ପାଇଁ ହୋଇଛି। ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି, ବୈଷୟିକ ତ୍ରୁଟି ପାଇଁ କିଛି ଜାଗାରେ ବିଭ୍ରାଟ ଘଟିଥିବା ସୂଚନା ମିଳିଛି। ପ୍ରଶ୍ନପତ୍ର ଠିକ୍ ଭାବେ ଡାଉନଲୋଡ୍ ହୋଇପାରି ନଥିବା ଯୋଗୁ ସିପିଏସଇ-୨୦୧୮ ପରୀକ୍ଷାରେ ଏଭଳି ସମସ୍ୟା ଉପୁଜିଛି। ତେବେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ।

ସୂଚନାଯୋଗ୍ୟ ଯେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଷ୍ଟାଫ୍ ସିଲେକସନ କମିସନ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପରିଚାଳନା କରି ଆସୁଥିବା ବେଳେ ଏଥର ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ପରୀକ୍ଷା ପରିଚାଳନା କରୁଛି।