ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବ୍ୟାପକ ନକଲି ଟିକେଟ୍‌, ଦୁବାଇ ଷ୍ଟାଡିୟମରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଚଳିତ ମାସରେ ଖେଳାଯିବ ଏସିଆ କପ୍ । ଏହି ଟୁର୍ଣ୍ଣାମେ ର ସବୁଠୁ ବଡ ମୁକାବିଲା ହେବ ଭାରତ ଓ ପାକିସ୍ତାନ ମଧ୍ୟରେ । ମ୍ୟାଚ୍ ପାଇଁ ଉଭୟ ଦେଶର ପ୍ରଶଂସକ ଉତ୍ସାହିତ ଅଛନ୍ତି । ଫ୍ୟାନ୍ସଙ୍କ ମଧ୍ୟରେ ଟିକେଟ କିଣିବାକୁ ନେଇ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ମ୍ୟାଚର ସବୁ ଟିକେଟ୍ ମାତ୍ର ୩ ଘଣ୍ଟାରେ ସରିଯାଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖରେ ମୁକାବିଲା ଖେଳାଯିବ । ଏହା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ତେବେ ଏହି ମ୍ୟାଚ୍ ପାଇଁ ଅନେକ ନକଲି ଟିକେଟ ବଜାରରେ ମିଳୁଛି । ଯେଉଁଥି ପାଇଁ ପୋଲିସ ସତର୍କ ହୋଇଯାଇଛି । ନକଲି ଟିକେଟ ଧରିବା ପାଇଁ ସ୍ମାର୍ଟ ପନ୍ଥା ଆପଣାଇଛି । ଏନେଇ ଦୁବାଇ ପୋଲିସର ଅପରେସନ ଆଫାୟର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଷ୍ଟାଡିୟମର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।

ଦୁବାଇ ପୋଲିସର ବ୍ରିଗେଡିୟର ରଶିଦ ଖଲିଫା କହିଛନ୍ତି ଯେ, ଷ୍ଟାଡିୟମର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଅଧିକରୁ ଅଧିକ ଫୋର୍ସ ମୁତୟନ ହେବେ । ନୂଆ ନୂଆ ଟେକନିକ୍ ବ୍ୟବହାର କରାଯିବ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ସାଧାରଣ ଲୋକେ କିପରି ପ୍ରୋଟୋକଲ ପାଳନ କରିବେ ସେନେଇ ପରାମର୍ଶ ଦିଆଯାଉଛି । ସୁରକ୍ଷା ବ୍ୟବସ୍ଥାରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ ପରଠୁ ଭାରତ ଓ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳିନାହାଁନ୍ତି । କେବଳ ଆଇସିସି କିମ୍ବା ଏସିଆ କପ୍ ଟୁର୍ଣ୍ଣାମେଂଟରେ ଉଭୟ ମୁହାଁମୁହିଁ ହୋଇଥାନ୍ତି । ଗତବର୍ଷ ଟି୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ମୁକାବିଲା ହୋଇଥିଲା ।ଯେଉଁଥିରେ ଭାରତ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଏବେ ଭାରତ ପାଖରେ ଏହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି ।