ଚଳିତ ବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମଲେଖା

ସୁନ୍ଦରଗଡ଼ : (ସଂକେତ୍ ଟିଭି) ସୁନ୍ଦରଗଡ଼ ସହରର ଶଙ୍କରା ଠାରେ ନିର୍ମାଣ କରାଯାଉଥିବା ନୂତନ ସରକାରୀ ମେଡିକାଲ କଲେଜ୍‌ରେ ଚଳିତ ବର୍ଷ ଠୁ ଆରମ୍ଭ ହେବ ନାମଲେଖା । ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ବିଧିବଦ୍ଧ ଭାବେ ଅନୁମତି ପ୍ରଦାନ କରିଛନ୍ତି ନ୍ୟାସନାଲ ମେଡିକାଲ କମିଶନ । ଚଳିତ ବର୍ଷ ୧୦୦ ସିଟ୍ ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ପାଠପଢ଼ା ଆରମ୍ଭ ହେବ । ଏହି ମେଡିକାଲ୍ କଲେଜ ସହ ୬ ମହଲା ବିଶିଷ୍ଟ ତଥା ୫ଶହ ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ୍ ମଧ୍ୟ ନିର୍ମାଣ କରାଯାଇଛି । ଏହି ହସ୍ପିଟାଲ୍‌ରେ ଆବଶ୍ୟକ ସଂଖ୍ୟକ ଆଇସିୟୁ ବେଡ୍‌, ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା, ଅତ୍ୟାଧୁନିକ ଅପରେସନ ଥିଏଟର ଏବଂ ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ ଥିବା ସୂଚନା ଦିଆଯାଇଛି ।

ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ମେଡିକାଲ କଲେଜ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଥିବାବେଳେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଆଶା ମଧ୍ୟ କରାଯାଉଛି । ଚଳିତ ଶିକ୍ଷା ବର୍ଷରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଏହି ମେଡିକାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇବେ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ଲାଗି ରାଜ୍ୟ ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତ ତାହା ଏକରକମ ସଫଳ ହୋଇଛି ବୋଲି କୁହାଯାଇପାରେ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବାକୁ ଥିବା ଏହି ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ କ୍ଲାସ୍‌ରୁମ୍ ସହ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଲାବ୍ରୋଟେରୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ରହିବା ପାଇଁ ୪୮୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍‌ ମଧ୍ୟ ନିର୍ମାଣ ହୋଇଛି । ସେହିରି ମେଡିକାଲ କଲେଜର ଡାକ୍ତର, ନର୍ସ, ଡିନ୍ ଏବଂ ଅନ୍ୟ କର୍ମଚାରୀଙ୍କ ପାଇର୍ କ୍ୱାର୍ଟର ନିର୍ମାଣ କରାଯାଇଥିବା ସୂଚନା ଦିଆଯାଇଛି ।