ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, ରାହୁଲ ଦ୍ରାବିଡ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି)ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ଫଳରେ ଆସନ୍ତା ଶନିବାରରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ଭାରତୀୟ ଟିମ ସହ ତାଙ୍କର ୟୁଏଇ ଗସ୍ତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି ।

ଏସିଆ କପ ପାଇଁ ଭାରତୀୟ ଦଳ ମଙ୍ଗଳବାରଦିନ ୟୁଏଇ ଗସ୍ତ କରିବ । ଏହା ପୂର୍ବରୁ ଟିମର ସମସ୍ତ ସଦସ୍ୟଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଦ୍ରାବିଡଙ୍କ ନମୁନା କୋଭିଡ ପଜିଟିଭ ବାହାରିଥିଲା । ଏହା ଫଳରେ ମଙ୍ଗଳବାରଦିନ ସେ ଟିମ ସହିତ ୟୁଏଇ ଯିବେ ନାହିଁ । ପରବର୍ତ୍ତୀ ପରୀକ୍ଷା ବେଳେ ଯଦି ତାଙ୍କର ନମୁନା ନେଗେଟିଭ ବାହାରିଲା ତେବେ ସେ ୟୁଏଇ ଯାଇ ଦଳସହ ଯୋଗ ଦେବେ ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ବ୍ରେକ ନେଇଥିଲେ । ଜିମ୍ବାୱେ ବିପକ୍ଷ ସିରିଜ ସହ ଟିମ ସହ ରାହୁଲ ଯାଇନଥିଲେ । ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ ଏକାଡେମୀ ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ କୋଚ ହିସାବରେ ଯାଇଥିଲେ । ଭିଭିଏସ ଲକ୍ଷ୍ମଣ ଓ କେଏଲ ରାହୁଲଙ୍କ ଯୋଡି ଜିମ୍ବାୱେ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି । ରାହୁଲ ଦ୍ରାବିଡ ବର୍ତ୍ତମାନ କୋରୋନାରେ ଆକ୍ରାନ୍ତ ହୋଇଥିବାକୁ 27ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ଟିମ ସହ ନ ଯିବେ ନାହିଁ । ତାଙ୍କ ସ୍ଥାନରେ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଭିଭିଏସ ଲକ୍ଷ୍ମଣଙ୍କୁ କୋଚ୍‌ ଦାୟିତ୍ବ ମିଳିବା ସମ୍ଭାବନା ରହିଛି । ତେବେ ଆନୁଷ୍ଠାନିକ ଭାବେ ବିସିସିଆଇ ପକ୍ଷରୁ ଘୋଷଣାକୁ ଅପେକ୍ଷା ରହିଛି ।

ଏସିଆ କପ୍ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଛି । ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ନିଜର ଚିରାଚରିତ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିରୋଧରେ ଆସନ୍ତା ରବିବାର ଅର୍ଥାତ ଅଗଷ୍ଟ ୨୮ରେ ଖେଳିବ ।