ଦିଲ୍ଲୀ ସରକାର ଭାଙ୍ଗିବା ପାଇଁ ବିଜେପି ୨୦/୨୫ କୋଟିର ଖେଳ ଖେଳୁଛି : ସଞ୍ଜୟ ସିଂହ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀ ସରକାର ଭାଙ୍ଗିବା ପାଇଁ ବିଜେପି ୨୦/୨୫ର ଖେଳ ଖେଳୁଛି। ବିଧାୟକ ଆମଆଦମୀ ପାର୍ଟି ଛାଡି ଆସିଲେ ୨୦ କୋଟି ଓ ପାର୍ଟିରୁ ବିଧାୟକ ଛଡେଇ ଆଣିଲେ ଲାଗି ବିଜେପି ୨୫ କୋଟି ଟଙ୍କାର ଅଫର ରଖିଛି । ଆମ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବୁଧବାର ଏହି ଅଭିଯୋଗ ଆଣିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦିଲ୍ଲୀର କେଜରିୱାଲ ସରକାର ଭାଙ୍ଗିବା ଲାଗି ଉଦ୍ୟମର ଅଭିଯୋଗ ଆଣିଛନ୍ତି।

ସଞ୍ଜୟ ସିଂହଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦିଲ୍ଲୀ ସରକାର ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀମାନଙ୍କର ଦୂରୁପଯୋଗ କରୁଛନ୍ତି। ଏହି ଏଜେନ୍ସୀମାନଙ୍କୁ ଦେଶରେ ଗଣତନ୍ତ୍ରର ହତ୍ୟା ଲାଗି ଉପଯୋଗ କରାଯାଉଥିବାର ସେ କହିଛନ୍ତି।

ସେ କହିଛନ୍ତି ଯେ ପ୍ରଥମେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ନକଲୀ ମୋକଦ୍ଦମା କରି ସରକାର ଭାଙ୍ଗିବା ପାଇଁ ଚାପ ସୃଷ୍ଟି କରାଯାଇଥିଲା। ଏବେ ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ଦଳରୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି। ଉଦାହରଣ ଭାବେ ସେ ସଞ୍ଜୀବ ଝା, ଅଜୟ ଦତ୍ତ, ସୋମନାଥ ଭାରତୀ ଓ କୂଲକଦୀପ ସିଂଙ୍କୁ ଆଗକୁ କରି ଏମାନଙ୍କୁ ବିଜେପି ଏହି ଅଫର ଦେଇଥିବା କହିଛନ୍ତି। ତେବେ ବିଜେପି ଅଫର ଦେବା ପୂର୍ବରୁ ଏହି ବିଧାୟକମାନେ କେଜରିୱାଲଙ୍କ ସିପାହୀ ଓ ସେମାନେ ବିକ୍ରି ହେବେନି ବୋଲି ଜାଣି ନଥିଲେ ବୋଲି କହିଛନ୍ତି।

ମହାରାଷ୍ଟ୍ର ପରି ବିଜେପି ଦିଲ୍ଲୀରେ ମଧ୍ୟ ଖେଳ ଖେଳିବାକୁ ଉଦ୍ୟମ କରୁଥିବା ସଞ୍ଜୟ ସିଂହ କହିଛନ୍ତି। ବିଧାୟକଙ୍କୁ ଖୋଲା ଅଫର ଦିଆଯାଉଛି, ସେମାନଙ୍କୁ ଧମକା ଯାଉଛି ବୋଲି ସିଂହ ଅଭିଯୋଗ କରିଛନ୍ତି। କହୁଛନ୍ତି ୨୦ କୋଟିର ଅଫର ନିଅ ନଚେତ ମନିଷ ସିସୋଦିଆଙ୍କ ଭଳି କେସ୍ ଲଗାଇ ଦେବେ। ବିଧାୟକଙ୍କୁ ଦଳ ଛାଡି ଆସିଲେ ୨୦ କୋଟି ଓ ଦଳରୁ ଛଡେଇ ଆଣିଲେ ୨୫ କୋଟି ଦେବାକୁ ବିଜେପିବାଲା ଅଫର ଦେଉଛନ୍ତି। ସେମାନେ ମହାରାଷ୍ଟ୍ରରେ ୫୦ ଖୋକା ଚଳାଇଥିଲେ। ଏଣୁ ସେହିଦିନରୁ ବିଜେପିବାଲାଙ୍କ ନାଁ ୫୦ ଖୋକା ହୋଇଯାଇଛି।

ତେବେ ଦିଲ୍ଲୀରେ ବିଜେପିର ମନ୍ଦ ଉଦ୍ଦେଶ୍ୟ ଚାଲି ପାରିବନି ବୋଲି ସଞ୍ଜୟ ସିଂହ କହିଛନ୍ତି। ପ୍ରଥମେ ଆପଣମାନେ ଏପରି ଉଦ୍ୟମ କରିଥିଲେ, ହେଲେ ଷ୍ଟିଂ ଅପରେସନ ହୋଇଗଲା। ସେତେବେଳେ ୨୮ ଥିଲୁ ଉଦ୍ୟମ ସଫଳ ହୋଇନଥିଲା ୬୭ରେ ବି ହେଲାନି ଏବେ ୬୨ରେ ବି ତୁମ ସ୍ୱପ୍ନ ସ୍ୱପ୍ନ ହୋଇ ରହିଯିବ ବୋଲି ସଞ୍ଜୟ ସିଂହ କହିଛନ୍ତି।

ସେପଟେ ଦିଲ୍ଲୀ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି “ସେମାନେ ମୋତେ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ହେଲେ ବିଫଳ ହେଲେ। ତେଣୁ ସେମାନେ ବର୍ତ୍ତମାନ ଆମ ବିଧାୟକମାନଙ୍କୁ ୨୦ କୋଟି ଲେଖାଏ ଲାଞ୍ଚ ଦେଖାଇବା ସହ ଇଡି ସିବିଆଇ ଭୟ ଦେଖାଉଛନ୍ତି। ଏବଂ ଷଡ଼ଯନ୍ତ୍ର କରିବା ଆରମ୍ଭ କରିଦେଇଛନ୍ତି। ବିଜେପି ଏଭଳି କାର୍ଯ୍ୟ କରିବାର ଦୂରେଇ ରହିବା ଉଚିତ। ଆମେ ଅରବିନ୍ଦ କେଜରିୱାଲ୍‌ଙ୍କ ଲୋକ ଏବଂ ଭଗତ ସିଂହଙ୍କୁ ଅନୁଗାମୀ। ଆମେ ମରିଯିବୁ ପଛେ ଧୋକା ଦେଇପାରିବୁ ନାହିଁ। ଇଡି ଆଉ ସିବିଆଇ ସେମାନଙ୍କ ସମ୍ମୁଖରେ ମୂଲ୍ୟହୀନ।” ଟ୍ୱିଟ୍ କରି ଏଭଳି ଲେଖିଛନ୍ତି ମନୀଷ ସିସୋଦିଆ।