କୋହଲିଙ୍କ ସହିତ ବାବର ଆଜମଙ୍କୁ ତୁଳନା କରିବା ଅନୁଚିତ: ୱାସିମ ଆକ୍ରମ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ତଥା ଅଧିନାୟକ ୱାସିମ ଆକ୍ରମ କହିଛନ୍ତି ଯେ ବିରାଟ କୋହଲି ଜଣେ ସର୍ବକାଳୀନ ମହାନ ଖେଳାଳି । ମାତ୍ର କୌଣସି କାରଣ ନେଇ ଗତ ଦୁଇ ବର୍ଷ ଧରି ସେ ଫର୍ମ ହରାଇ ବସିଛନ୍ତି । ତେଣୁ ଭାରତୀୟ କ୍ରିକେଟ ପ୍ରେମୀମାନେ ତାଙ୍କୁ ସମାଲେଚନା କରୁଛନ୍ତି । ସେହିପରି ଅନ୍ୟ ଦେଶର କେତେକ ପୂର୍ବତନ କ୍ରିକେଟର ମଧ୍ୟ କୋହଲିଙ୍କ ଫର୍ମକୁ ନେଇ ଭିନ୍ନ ଟିପ୍ପଣୀ ଦେଉଛନ୍ତି । ତଥାପି ସେ ଫର୍ମକୁ ଫେରି ଆସିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହି କାରଣ ନେଇ କୋହଲିଙ୍କୁ ଯଥେଷ୍ଟ ବିଶ୍ରାମ ଦିଆ ଯାଇଛି ।

ସେ ଚଳିତ ଅଗଷ୍ଟ ମାସ ୨୭ ତାରିଖରୁ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଅଗଷ୍ଟ ୨୮ ତାରିଖ ଦିନ ପାକିସ୍ତାନ ବିପକ୍ଷରେ ଭାରତ ଏସିଆ କପର ପ୍ରଥମ ମ୍ୟାଚ ଖେଳିବ । ତେଣୁ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ୨୦୧୯ ନଭେମ୍ବର ପରଠାରୁ ସେ କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରି ନାହାନ୍ତି । ମାତ୍ର ସବୁ ଫର୍ମାଟରେ ତାଙ୍କର ପ୍ରଦର୍ଶନ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଭାରତୀୟ ଦଳର ସେ ମଧ୍ୟ ସବୁଠାରୁ ଶ୍ରେଷ୍ଠ ଫିଲ୍ଡର ।

ତେବେ ବର୍ତ୍ତମାନ ପରିସ୍ଥିତିରେ କୋହଲିଙ୍କ ସହିତ ପାକିସ୍ତାନ କ୍ରିକେଟ ଦଳର ଯୁବ ଅଧିନାୟକ ବାବର ଆଜାମଙ୍କୁ ତୁଳନା କରିବା ଠିକ ହେବ ନାହିଁ । କାରଣ ବାବର ଆଜାମ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରି ଆସୁଥିଲେ ହେଁ ସେ ବର୍ତ୍ତମାନ ଅନେକ ଶିକ୍ଷା ଲାଭ କରୁଛନ୍ତି । ଅବଶ୍ୟ ସୁନ୍ଦର ଟେକନିକ୍ ଓ ସ୍ଥିରତା ଯୋଗୁଁ ସେ ସଫଳ ହୋଇ ପାରୁଛନ୍ତି । ମାତ୍ର ବର୍ତ୍ତମାନ ସମୟରେ କୋହଲିଙ୍କ ସହିତ ତୁଳନା କରିବା ଅନାବଶ୍ୟକ ।

ସମୟ ଥିଲା ପାକିସ୍ତାନର ପୂର୍ବତନ ବ୍ୟାଟର ଇଞ୍ଜାମମ୍ ଉଲ ହକ୍‌, ଜାଭେଦ ମିଆଁଦାଦ, ଜାହିର ଆବାସ, ଗୁଣ୍ଡାପା ବିଶ୍ୱନାଥଙ୍କ ସହିତ ସୁନିଲ ଗାଭାସ୍କର, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକରଙ୍କୁ ତୁଳନା କରା ଯାଉଥିଲା । ମାତ୍ର କୋହଲିଙ୍କ ପରି ପରିପକ୍ୱତା ଆଣିବା ପାଇଁ ବାବର ଆଜାମଙ୍କୁ ଆହୁରି ଅନେକ ସମୟ ଲାଗିବ ବୋଲି ଏସିଆ କପ ପାଇଁ ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ୱାସିମ ଆକ୍ରମ ।