ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢିଲା

ଭୁବନେଶ୍ବର : (ସଂକେତ୍ ଟିଭି) ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ପାଇଛି । ଦ୍ଵିତୀୟ ଥର ଲାଗି ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। କାର୍ଯ୍ୟକାଳ ବୃଦ୍ଧି ପାଇଁ ହୋଇଥିବା ସୁପାରିଶକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ସେ ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

ଚଳିତ ବର୍ଷ ଫେବ୍ରୁଆରୀରେ ରାଜ୍ୟ ମୁଖ୍ୟ ସଚିବ ତଥା ୧୯୮୬ ବ୍ୟାଚ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅବସର ଧାର୍ଯ୍ୟ ହୋଇଥିଲା । ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ପୂର୍ବରୁ କାର୍ଯ୍ୟକାଳ 6 ମାସ ବୃଦ୍ଧି କରାଯାଇ ଅଗଷ୍ଟ ୩୧ ଅବସର ଧାର୍ଯ୍ୟ କରାଯାଇଥିଲା । ତେବେ ପୁନର୍ବାର ୧୦ ଅଗଷ୍ଟରେ ଚିଠି ଲେଖି ସୁରେଶଙ୍କ କାର୍ଯ୍ୟକାଳ ପୁନର୍ବାର ବୃଦ୍ଧି କରିବାକୁ ଅନୁରୋଧ କରିଥିଲା ରାଜ୍ୟ ସରକାର । ଯାହାକୁ କେନ୍ଦ୍ର ଗ୍ରହଣ କରିଛି । ୨୦୨୩ ଫେବୃଆରୀ ୨୮ ଯାଏଁ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି ।

ଦୁଇ ଥର ଅବସର ଅବଧି ବୃଦ୍ଧି ହେବା ରାଜ୍ୟ ଇତିହାସରେ ପ୍ରଥମ ଘଟଣା । ଅନ୍ୟପଟେ ନୂଆ ପ୍ରଶାସନିକ ମୁଖ୍ୟ ଚୟନ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଏହି ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ୨୦୨୨ ଫେବୃଆରୀ ୨୮ରେ ସରିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ଅର୍ଥାତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ