ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ୨ଟି ଏକେ-୪୭ ରାଇଫଲ ଜବତ କଲା ଇଡି

ରାଞ୍ଚି : (ସଂକେତ୍ ଟିଭି) ବହୁଚର୍ଚ୍ଚିତ ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଓ ବିଭିନ୍ନ ଠିକଣା ଉପରେ ଚଢାଉ କରିଛି । ପ୍ରେମ ପ୍ରକାଶଙ୍କ ହାରମୁ ହାଉସିଂ କଲୋନୀ ବାସଭବନରୁ ଇଡିକୁ ୨ଟି ଏକେ-୪୭ ରାଇଫଲ ମିଳିଛି।

ଝାଡଖଣ୍ଡରେ ବେଆଇନ ଖଣି ଖନନ ମାମଲାରେ ଇଡି ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ଝାଡଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ-ଏନସିଆର ସମେତ ୧୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ପ୍ରେମ ପ୍ରକାଶ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ବୋଲି ଜଣାଯାଇଛି । ପ୍ରେମ ପ୍ରକାଶ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏହି ଚଢାଉ କରାଯାଇଥିଲା ।

ଏହି ପ୍ରସଙ୍ଗରେ ଅରଗୋଡା ପୋଲିସ ଷ୍ଟେସନର ଏସଏଚଓ ବିନୋଦ କୁମାରଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ବିନୋଦ କହିଛନ୍ତି ଯେ ପ୍ରେମ ପ୍ରକାଶଙ୍କ ଘରୁ ଜବତ ହୋଇଥିବା ୨ଟି ଏକେ-୪୭ ରାଇଫଲ ଝାଡଖଣ୍ଡ ପୋଲିସର ସରକାରୀ ସୁରକ୍ଷା କର୍ମୀଙ୍କର ଅଟେ । ଅସ୍ତ୍ରଶସ୍ତ୍ର କାହିଁକି ଆଲମାରୀ ଭିତରେ ରଖାଗଲା ଏହାର ତଦନ୍ତ କରାଯିବ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଓ ଦୁର୍ନୀତିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କ ଘରରୁ ଏପରି ମାରଣାସ୍ତ୍ର ମିଳିବା ଘଟଣା ସାଧାରଣରେ ଚହଳ ସୃଷ୍ଟି କରିଛି ।

ସେପଟେ ବିହାରରେ ମଧ୍ୟ ସିବିଆଇ ଚଡଉ ଜାରି ରହିଛି। ଚାକିରୀ ବଦଳେ ଜମି ମାମଲାରେ ଚାଲିଥିବା ଏହି ଚଢଉ ପ୍ରାୟ ୨୪ଟି ସ୍ଥାନରେ ହୋଇଛି। ଏଥିରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅସଫାକ କରୀମ ଓ ଫୟାଜ ଅହମ୍ମଦଙ୍କ ଠିକଣାରେ ଏହି ସବୁ ଚଢଉ ଚାଲିଛି। ବିହାରରେ ଆରଜେଡି ନେତାଙ୍କ ଠିକଣା ଉପରେ ଏପରି ଏକ ସମୟରେ ସିବିଆଇ ଚଢଉ ଆରମ୍ଭ ହୋଇଛି ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୃହରେ ଫ୍ଲୋରଟେଷ୍ଟ ଦେବେ।

ତେବେ ଏପର୍ଯ୍ୟନ୍ତ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଜିଦ୍ କରୁଥିବା ବିଜେପି ବାଚସ୍ପତି ବିଜୟ କୁମାର ସିହ୍ନା ବୁଧବାର ଚୁପଚାପ ଇସ୍ତଫା ଦେଇ ପଦରୁ ହଟି ଯାଇଛନ୍ତି। ଏଣୁ ଏଥିରେ ଆରମ୍ଭ ହୋଇଥିବା ସିବିଆଇ ଚଢଉ କୁ ଆରଜେଡି ରାଜ୍ୟରେ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି କହିଛି। ଆରଜେଡି ଏମଏଲସି ସୁନୀଲ ସିଂହ ଏହା ଜାଣିଶୁଣି କରାଯାଉଥିବା କହିଛନ୍ତି। ଯାଞ୍ଚ ଏଜେନ୍ସୀଙ୍କ ଡରରେ ବିଧାୟକ କାଳେ ସେମାନଙ୍କ ପକ୍ଷରେ ଆସିଯିବା ଆଶଙ୍କାରେ ଏଭଳି ଚଢଉ କରାଯାଉଥିବା ସିଂହ କହିଛନ୍ତି। ତେବେ ଏଥିରେ କେହି ଡରିବାର ନାହିଁ ବୋଲି ସେ କହିଛନ୍ତି।