କେନ୍ଦ୍ର ସରକାର ଠିକ୍‌ ସମୟରେ ନିଷ୍ପତ୍ତି ନେଇପାରୁନାହାନ୍ତି : ନୀତିନ ଗଡକରି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସରକାର ଠିକ୍‌ ସମୟରେ ନିଷ୍ପତ୍ତି ନେଇପାରୁ ନାହାନ୍ତି । ଯାହା ହେଉଛି ଏକମାତ୍ର ସମସ୍ୟା ବୋଲି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି । ସୂଚନାଯୋଗ୍ୟ, ନିକଟରେ ଶ୍ରୀ ଗଡକରିଙ୍କୁ ବିଜେପିର ସର୍ବୋଚ୍ଚ ନିଷ୍ପତ୍ତି ନେବା ବୋର୍ଡ ଯଥା ସଂସଦୀୟ ବୋର୍ଡରୁ ବାଦ୍‌ ଦିଆଯାଇଛି । ସରକାରରେ ଥିଲେ ବି ନୀତିନ ଅନେକ ସମୟରେ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ସମାଲୋଚନା କରିଥାଆନ୍ତି ।

ମୁମ୍ବାଇରେ ଆସୋସିଏସନ୍‌ ଅଫ୍‌ କନ୍‌ସଲଫିଂ ସିଭିଲ୍‌ ଇଞ୍ଜିନିୟର୍ସଙ୍କ ଦ୍ୱାରା ଆୟୋଜିତ ହୋଇଥିବା ନ୍ୟାଟ୍‌ କନ୍‌- ୨୦୨୨ରେ ଯୋଗଦେଇ ଶ୍ରୀ ଗଡକାରୀ କହିଛନ୍ତି ଯେ, ଆମେ କିଛି ଆଶ୍ଚର୍ଯ୍ୟଚକିତ କାର୍ଯ୍ୟ କରିପାରିବା । କାରଣ ଆମର ସେ ଦକ୍ଷତା ରହିଛି । ମୋର ପ୍ରସ୍ତାବ ହେଉଛି ଯେ, ଭାରତର ଭିତ୍ତିଭୂମିର ଭବିଷ୍ୟତ ବେଶ୍‌ ଉଜ୍ଜ୍ୱଳ । ହେଲେ ଆମକୁ ଭଲ ବୈଷୟିକ ଜ୍ଞାନକୌଶଳ, ଭଲ ଆବିଷ୍କାର ଓ ଗବେଷଣାକୁ ଗ୍ରହଣ କରିବାକୁ ପଡ଼ିବ । ବିଶ୍ୱରେ ଯେଉଁ ବ୍ୟବସ୍ଥା ଗୁଡିକ ଗ୍ରହଣୀୟ ହୋଇଛି, ତାହାକୁ ଦେଶରେ ଲାଗୁ କରିବାକୁ ପଡ଼ିବ । ଆମ ପାଖରେ ବିକଳ୍ପ ପଦାର୍ଥ ରହିଛି । ଯାହାଦ୍ୱାରା ଗୁଣାତ୍ମକ ମାନରେ ବୁଝାମଣା ନକରି ଆମେ ମୂଲ୍ୟ ହ୍ରାସ କରିପାରିବା ଏବଂ ନିର୍ମାଣ ଉପରେ ଏବେ ଗୁରୁତ୍ୱ ଦେବା ଆବଶ୍ୟକ ।

ତେବେ ସବୁଠୁ ବଡ ସମସ୍ୟା ସରକାରରେ ହେଉଛି ଯେ, ଠିକ୍‌ ସମୟରେ ନିଷ୍ପତ୍ତି ନିଆଯାଇ ପାରୁନାହିଁ । ବର୍ତ୍ତମାନ ସମୟ ହେଉଛି ଯେ, ବୈଷୟିକ ଓ ସମ୍ବଳ ହେଉଛି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ଶ୍ରୀ ଗଡକରୀଙ୍କ ଏଭଳି ମନ୍ତବ୍ୟ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆସିଥିବା ମନ୍ତବ୍ୟକୁ ଖାପଖୁଆଉ ନାହିଁ । କିଛିଦିନ ତଳେ ପ୍ରଧାନମନ୍ତ୍ରୀ ସରକାରଙ୍କ ସଫଳତାର ଗାଥା ବଣାଣି ଏହାକୁ ଅମୃତକାଳ ବା ସୁବର୍ଣ୍ଣ ଯୁଗ ବୋଲି କହିଥିଲେ । ତେବେ ବିଜେପି ନେତାଙ୍କର କହିବାନୁଯାୟୀ ଗଡକରୀଙ୍କ ଏହି ଶବ୍ଦ କୌଣସି ନିର୍ଦ୍ଦିଷ୍ଟ ସରକାରଙ୍କ ପାଇଁ ନୁହେଁ । ଏହା ସବୁ ସରକାରଙ୍କ ପାଇଁ ସେ କହିଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସଂସଦୀୟ ଦଳ ବୋର୍ଡରୁ ଗଡକରୀଙ୍କୁ ବାଦ୍‌ ଦିଆଯାଇଛି । ଶ୍ରୀ ଗଡକରୀ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ସଭାପତି ଥିଲେ । ତାଙ୍କୁ ବାଦ୍‌ ଦେବା ନେଇ ଅନେକ ଭୃକୁଞ୍ଚନ ସୃଷ୍ଟି ହୋଇଛି । ଏବେ ନିକଟରେ ନାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଥିଲେ ଯେ, ବିଜେପି କ୍ଷମତାକୁ ଆସିବା ପଛରେ ଅଟଳ ବିହାରୀ ବାଜପେୟୀ, ଏଲ୍‌.କେ.ଆଡଭାନୀ ଓ ଦିନ୍‌ଦୟାଲ ଉପାଧ୍ୟାୟଙ୍କ ଅବଦାନ ରହିଛି । ଏଥିପାଇଁ ସେ ତାଙ୍କୁ ଶ୍ରେୟ ଦେଉଛନ୍ତି । ଶ୍ରୀ ଗଡକରୀ ମଧ୍ୟ ୧୯୮୦ରେ ଶ୍ରୀ ବାଜପେୟୀ ମୁମ୍ବାଇର ଏକ କନ୍‌କ୍ଲେଭ୍‌ରେ ଦେଇଥିବା ଏକ ଭାଷଣକୁ ଉଧୃତ କରିଥିଲେ । ସେତେବେଳେ ସ୍ୱର୍ଗତଃ ବାଜପେୟୀ କହିଥିଲେ ଯେ, ଅନ୍ଧେରା ହଟେଗା, ସୂରଯ ନିକ୍‌ଲେଗା, କମଲ ଖିଲେଗା । ସିଏ ସେଇ ସଭାରେ ଉପସ୍ଥିତ ଥିଲେ । ପ୍ରତ୍ୟେକ ଲୋକ ଏହି ଭାଷଣ ଶୁଣିଛନ୍ତି ।